ଭାତହାଣ୍ଡିରୁ ଭାତଟିଏ

ଅକ୍ଷୟ କୁମାର ମିଶ୍ର

ଅଳ୍ପ ଦିନ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଫି ଆଦାୟକୁ ନେଇ କେମିତି ଏକ ଅମାନବୀୟ ଘଟଣା ଘଟିଲା ତାହା ରାଜ୍ୟବାସୀ ଦେଖିଛନ୍ତି। ଚଉତିରିଶ ଜଣ କୋମଳମତି ଛାତ୍ରୀଛାତ୍ରଙ୍କ ଅଭିଭାବକ ବିଦ୍ୟାଳୟର ଦେୟ ପଇଠ କରିନଥିବା ଯୋଗୁ ଅକଥନୀୟ ମାନସିକ ଯନ୍ତ୍ରଣା ସହିଲେ। ପାଠାଗାର ଭିତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେହି ପିଲାମାନଙ୍କୁ ବସାଇ ରଖିଲେ। ଅର୍ଥ ଆଦାୟ ସକାଶେ ମୁଣ୍ଡଜାମିନ କହିଲେ ଭୁଲ ହେବ ନାହିଁ। ଆଉ କିଛି ଦିନ ପୂର୍ବେ ଜୁଲାଇ ୨୦ ଦିନ ଏକ ନାରକୀୟ ଘଟଣା ସାମ୍ନାକୁ ଆସିଥିଲା। ରାଜସ୍ଥାନ ଝଲୌର ଜିଲାର ଏକ ସରସ୍ବତୀ ବିଦ୍ୟା ମନ୍ଦିରରେ ଜଣେ ନଅ ବର୍ଷର ଶିଶୁ ଉଚ୍ଚ ଜାତି ପାଇଁ ଉଦ୍ଦିଷ୍ଟ ଥିବା ପାଣି ପାତ୍ରରୁ ପାଣି ପିଇ ଦେଇଥିଲା ବୋଲି ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ଏମିତି ଶିଶୁଟିକୁ ପିଟିଲେ ଯେ, ସେ ଚିକିତ୍ସାଧୀନ ଅବସ୍ଥାରେ ୨୩ ଦିନ ପରେ ଚିରଦିନ ପାଇଁ ଆଖି ବୁଜିଲା।
ଅଭିଯୋଗ ହେଉଛି ଇଏତ ଭାତହାଣ୍ଡିରୁ ଭାତଟିଏ। ଗ୍ୟାରେଣ୍ଟି ଦେଇ କହିହେବ ନାହିଁ ଆଉ ସବୁ ସ୍ଥାନରେ ଠିକ୍‌ଠାକ୍‌ ଚାଲିଛି ବୋଲି। ଘରୋଇ ଶିକ୍ଷାନୁଷ୍ଠାନ ତ ଆଉ ସେବା ପାଇଁ ଗଢ଼ି ଉଠିନାହିଁ? ବ୍ୟବସାୟ ଯେଉଁଠି ମୁଖ୍ୟ ଉଦ୍ଦେଶ୍ୟ, ସେଠାରେ ଲାଭ କ୍ଷତିର ହିସାବକୁ ବାଦ୍‌ ଦେଲେ ସଂସ୍ଥା ଚାଲିବ କେମିତି? ଶିକ୍ଷାକୁ ଯେତେବେଳେ ଏକ ପଣ୍ୟ ରୂପେ ଗ୍ରହଣ କରାଗଲା ଏବଂ ବଡ଼ ବଡ଼ ବ୍ୟବସାୟୀ ତଥା କର୍ପୋରେଟରମାନଙ୍କ ହାତରେ ଏହାକୁ ବିକ୍ରି କରିବାର ହଲପ୍‌ନାମା ପ୍ରଦାନ କରାଗଲା, ସେତେବେଳେ ସେଠାରୁ ସେବା ଆଶା କରିବା ନିରର୍ଥକ। ଏହାର ନିଚ୍ଛକ ଉଦାହରଣ ହେଉଛି ଭୁବନେଶ୍ୱରରେ ଘଟିଥିବା ଘଟଣା। ଦ୍ୱିତୀୟ ଘଟଣାଟି ଜାତି ପ୍ରଥାର ବୀଭତ୍ସ ରୂପ। ଜଣେ ତୃଷାର୍ତ୍ତ ଶିଶୁ ପାଣି ପିଇଦେଲା ବୋଲି ତାକୁ ପିଟିପିଟି ମାରିଦେବା କାନ ଶୁଣିନଥିଲା। ଅସଭ୍ୟ ବର୍ବରତାର ବୋଧହୁଏ ଶେଷ ସୋପାନ। ପରବର୍ତ୍ତୀ ସମୟରେ ଶିକ୍ଷା ଅଧିକାର ଆଇନ ୨୦୦୯ ଆସିବା ପରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗରୁ ୨୫ ପ୍ରତିଶତ ପିଲାଙ୍କ ପାଇଁ ସଂରକ୍ଷିତ ହେଲା। ଫଳରେ ସ୍ବୀକୃତି ପ୍ରତ୍ୟାହାର ହୋଇଯିବା ଭୟରେ ଅନିଚ୍ଛା ସତ୍ତ୍ୱେ ଏମାନେ ଏହି ବର୍ଗର କିଛି ପିଲାଙ୍କୁ ଭର୍ତ୍ତି କରିବାକୁ ବାଧ୍ୟ ହେଉଛନ୍ତି ସତ, କିନ୍ତୁ ଏମାନଙ୍କ ପ୍ରତି ଅସୂୟା ଭାବନାରେ ଅନ୍ତ ଘଟିନାହିଁ।
ଦେଖାଯାଉଛି ଏହିସବୁ ବିଦ୍ୟାଳୟରେ କୌଣସି ଏକ ଅଭାବନୀୟ ଘଟଣା ଘଟିବା ପରେ ପ୍ରଶାସନ ବେଶ୍‌ ସକ୍ରିୟ ହୋଇଉଠୁଛି ଏବଂ ସରକାର ମଧ୍ୟ ତତ୍ପରତା ପ୍ରକାଶ କରୁଛନ୍ତି ଏହି ଶିକ୍ଷାନୁଷ୍ଠାନଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। କିନ୍ତୁ ଚାଲୁଥିବା ବେନିୟମ କାର୍ଯ୍ୟ ବିରୋଧରେ ଯେତେବେଳେ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ତାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ପରନ୍ତୁ ଅଭିଯୋଗଗୁଡ଼ିକୁ ହାଲୁକା ଭାବେ ଗ୍ରହଣ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ବିଡ଼ମ୍ବନା ହେଉଛି ଘରୋଇ ଶିକ୍ଷା ବ୍ୟବସ୍ଥାର କ୍ଷତିକାରକ ଦିଗଗୁଡ଼ିକ ସମ୍ପର୍କରେ ଯେତେବେଳେ କୁହାଯାଉଛି ଏହାକୁ କର୍ଣ୍ଣପାତ କରାଯାଉ ନାହିଁ। ଅଧିକନ୍ତୁ ଘରୋଇ ଶିକ୍ଷା ସପକ୍ଷରେ ଓକିଲାତି କରି କୁହାଯାଉଛି ଆଜିର ସମାଜରେ ଏହା ଅନିବାର୍ଯ୍ୟ।
ଘରୋଇ ବିଦ୍ୟାଳୟରେ ପଢ଼ିଲେ ପିଲା ଟାଇ, କୋଟ୍‌, ବୁଟ୍‌ ପିନ୍ଧି ସ୍କୁଲ ଯିବ। ସ୍ମାର୍ଟ ହେବ। ଇଂଲିଶ୍‌ରେ ଦକ୍ଷତା ବଢ଼ିବ। ବହୁତଳ ବିଶିଷ୍ଟ ପ୍ରାସାଦରେ ବସି ପାଠ ପଢ଼ିବ। ପୁଣି ଶୀତତାପ ନିୟନ୍ତ୍ରିତ ଶ୍ରେଣୀଗୃହର ବ୍ୟବସ୍ଥା ଅଛି। ଯେମିତି ପଇସା, ସେମିତି ପାଠ। ସହରଠାରୁ ଗଁା ଡିଟରଜେଣ୍ଟ ପାଉଡର ପାଇଁ ଯେମିତି ବଡ଼ ବଡ଼ ହୋର୍ଡିଂ ଲାଗିଛି, ସମାନ ଭାବେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଚାର ଅଭିଭାବକମାନଙ୍କୁ ଆଜି ବାଉଳା କରିଦେଉଛି। ଖାଉଟିଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀଗୁଡ଼ିକ ବେଳେବେଳେ ଘୋଷଣା କରନ୍ତି ‘ଦୁଇକିଲିଆ ପାକେଟ୍‌ କିଣିଲେ ଗୋଟିଏ ବାଲ୍‌ଟି ଫ୍ରି’। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସମାନ କୌଶଳ ଆପଣେଇବାକୁ ଭୁଲୁନାହାନ୍ତି। କିଏ କହୁଛି ପାଠ ସାଙ୍ଗକୁ ସ୍ପିକିଂ ଇଂଲିଶ୍‌ ଫ୍ରି ତ କିଏ କହୁଛି କମ୍ପ୍ୟୁଟର ଶିକ୍ଷା ଫ୍ରି। ଆଉ କେଉଁଠି ପାଠ ସାଙ୍ଗରେ ଜେଇ, ଆଇଆଇଟି, ମେଡିକାଲ କୋଚିଂ ମାଗଣାରେ ଦିଆଯାଏ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯାଉଛି। ଏସବୁ ଦେଖି ବିଶେଷକରି ମଧ୍ୟବିତ୍ତ ଶ୍ରେଣୀ ଏହି ବଜାରରେ ଅଧିକ ସାମିଲ ହେଉଛନ୍ତି। ହେବା ସ୍ବାଭାବିକ ମଧ୍ୟ। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଯେମିତି ଅଣଦେଖା କରାଗଲା ଏବଂ ଘରୋଇ ଶିକ୍ଷାକୁ ଯେମିତି ପରୋକ୍ଷ ପ୍ରୋତ୍ସାହନ ଦିଆଗଲା ତା’ର ଫଳ ସ୍ବରୂପ ପାଖାପାଖି ୩୦% ପିଲା ଆଜି ଘରୋଇ ବିଦ୍ୟାଳୟ ଆଡ଼କୁ ଆକର୍ଷିତ ହୋଇ ଯାଇଛନ୍ତି।
ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ପାଇଁ ଶିକ୍ଷା ଯେମିତି ଅପରିହାର୍ଯ୍ୟ, ସେମିତି ଶିକ୍ଷା ମଧ୍ୟ ଦେଶର ଅର୍ଥନୀତି ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ। ଆମ ଦେଶ ବିଂଶ ଶତାବ୍ଦୀର ଶେଷ ଦଶକରେ ମିଶ୍ର ଅର୍ଥନୀତିକୁ ବିଦାୟ ଜଣାଇ ଜଗତୀକରଣକୁ ସ୍ବାଗତ କଲା। ଏହାର ମୂଳ ପିଣ୍ଡ ହେଉଛି ଉଦାରୀକରଣ ଓ ଘରୋଇକରଣ। ସେହି ଦିନଠାରୁ ଘରୋଇ ମାଲିକାନା ପାଇଁ ମୌସୁମୀ ପ୍ରବାହିତ ହେବାକୁ ଲାଗିଲା। ଆଉ ଏକ ଲଘୁଚାପ ସୃଷ୍ଟି ହେଲା ୨୦୦୦ ମସିହା ଏପ୍ରିଲ ୨୪ ଦିନ, ଯେତେବେଳେ ମୁକେଶ ଅମ୍ବାନୀ ଓ କୁମାରମଙ୍ଗଳମ୍‌ ବିର୍ଲା ଶିକ୍ଷା ଉପରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କଲେ। ରିପୋର୍ଟରେ କୁହାଗଲା, ରାଷ୍ଟ୍ରର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଶିକ୍ଷା ବଜେଟକୁ ହ୍ରାସ କରିବା ଆବଶ୍ୟକ। ନ ହେଲେ ଏମିତି ସମୟ ଆସିବ, ଏହା ସମଗ୍ର ବଜେଟକୁ ଗିଳିଦେବ। ଶିକ୍ଷା ହେଉଛି ଏକ ଅଣଉତ୍ପାଦିତ କ୍ଷେତ୍ର ଏବଂ ଏହା ଏକ ନନ୍‌ମେରିଟ ଗୁଡ୍‌ସ(non-merit goods)। ଏହା ବାବଦରେ ସରକାର ଅଧିକ ସମ୍ବେଦନଶୀଳ ନ ହୋଇ ବୋଝକୁ ହାଲୁକା କରିବା ପାଇଁ ଘରୋଇ ମାଲିକାନାକୁ ହସ୍ତାନ୍ତରିତ କରିବା ଜରୁରୀ। ଯଦ୍ଦ୍ବାରା ଯାହାର ଅର୍ଥ ଅଛି ସେ ତା’ ପିଲା ପାଇଁ ବଜାରରୁ ଶିକ୍ଷାକୁ କିଣିପାରିବା ସହିତ ଦେଶ ‘ଜ୍ଞାନ ବିପ୍ଳବ’ରେ ସାମିଲ ହୋଇପାରିବ। ଏହି ରିପୋର୍ଟକୁ ନୀରବ ସମର୍ଥନ ଫଳରେ ଆଜି ଦେଶରେ ଛତୁ ଫୁଟିଲା ପରି ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟ ଗଢ଼ିଉଠିଛି। ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟାକୁ ମଧ୍ୟ ଟପିଗଲାଣି। ଦେଶରେ ପ୍ରଚଳିତ ଦୁଇଟି ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ଯୋଗୁ ଲୋକଙ୍କ ଭିତରେ ସାମାଜିକ ତଥା ଅର୍ଥନୈତିକ ବୈଷମ୍ୟ କ୍ରମଶଃ ବଢ଼ିବାରେ ଲାଗିଛି।
କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକ ଶିକ୍ଷାକୁ ଏକ ନିଷିଦ୍ଧ ସାମଗ୍ରୀ ଭାବରେ ବିଚାର କରି ବଜାରରେ ଖୁଲମ୍‌ଖୁଲା ବିକ୍ରି ପାଇଁ ଛାଡ଼ିଦେବା ଉଚିତ ହେବ ନାହିଁ। ଅବଶ୍ୟ କେରଳ ଓ ଦିଲ୍ଲୀ ସରକାର ବିପଦକୁ ହୃଦୟଙ୍ଗମ କରି ସରକାରୀ ସାର୍ବଜନୀନ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ଏକ ଶୁଭ ସଂକେତ। ଭିତ୍ତିଭୂମିର ବିକାଶ ପାଇଁ ବିଦ୍ୟାଳୟ ରୂପାନ୍ତରଣ ଆମ ରାଜ୍ୟ ସରକାରଙ୍କର ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ବୋଲି କୁହାଯାଇପାରିବ, ଯଦି ମାଧ୍ୟମିକରେ ସୀମିତ ନରହି ଏଥିରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରନ୍ତି। ପୁଣି ଭିତ୍ତିଭୂମିର ବିକାଶ କେବଳ ଯଥେଷ୍ଟ ନୁହେଁ। ପ୍ରାଥମିକଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶୂନ୍ୟ ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନ କଲେ ପୋଖରୀରେ ଲୋଟାଏ କ୍ଷୀର ଢାଳି କ୍ଷୀର ପୋଖରୀ ତିଆରି କରିବା ଭଳି କଥା ହେବ। ଆଶା କରିବା ସମସ୍ତ ସରକାର ଶିକ୍ଷାକୁ ନେଇ ସେମାନଙ୍କର ବିଚାରବୋଧର ପରିବର୍ତ୍ତନ ଆଣିବେ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri