ଥାନାରେ ଏତଲା ଦେଲା ବୋର୍ଡ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କଟକ,୮ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏପରି କି ଏହା ଅତି ଦୁର୍ଭାଗ୍ୟର ବିଷୟ ଓ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍‌ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୋର୍ଡ ପକ୍ଷରୁ ଶନିବର ଏକ ପ୍ରେସ୍‌ ବିବୃତି ଜାରି କରି କୁହାଯାଇଛି। ଆହୁରି କୁହାଯାଇଛି ଯେ, ବୋର୍ଡ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କ ଷାଣ୍ମାସିକ ପରୀକ୍ଷା ନିଜ ନିଜ ହାଇସ୍କୁଲ ଓ ସଂସ୍କୃତ ଟୋଲ୍‌ରେ ଅନୁଷ୍ଠିତ ହୋଇଛି। ଏଥିନିମନ୍ତେ ବୋର୍ଡ ପକ୍ଷରୁ ସମସ୍ତ ବିଷୟର ପ୍ରଶ୍ନପତ୍ର ପ୍ରସ୍ତୁତ କରି ଜିଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଇ ଦିଆଯାଇଥିଲା। ଉକ୍ତ ପ୍ରଶ୍ନପତ୍ରକୁ ସମସ୍ତ ସ୍କୁଲ୍‌କୁ ପଠାଇବାକୁ ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଇଯାଇଥିଲା। ଏପରି କି ସମସ୍ତ ସାବଧାନତା ଅବଲମ୍ବନ କରି ପରୀକ୍ଷା ପରିଚାଳନା କରିବା ପାଇଁ ସବୁ ଅନୁଷ୍ଠାନର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେବାନିମନ୍ତେ ଜିଲା ଶିକ୍ଷା ଅଧିକାରୀଙ୍କୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଥିଲା। ବିଦ୍ୟାଳୟଗୁଡ଼ିକ ପରୀକ୍ଷା ପରିଚାଳନା କରିବା ସହ ଉତ୍ତର ଖାତାର ମଧ୍ୟ ମୂଲ୍ୟାୟନ କରିବେ ଓ ପିଲାମାନଙ୍କ ନମ୍ବର ନିଜ ପାଖରେ ରଖିବେ ବୋଲି ନିର୍ଦ୍ଦେଶ ଥିଲା। ଯେହେତୁ ଏହି ପରୀକ୍ଷାର ମାଟ୍ରିକ ପରୀକ୍ଷାରେ କୌଣସି ସମ୍ପର୍କ ନାହିଁ ତେଣୁ ଏହି ନମ୍ବରକୁ ବୋର୍ଡ ୱେବ୍‌ସାଇଟରେ ଅପ୍‌ଲୋଡ କରିବାର ବ୍ୟବସ୍ଥା କରାଯାଇ ନାହିଁ। ହେଲେ କେତେକ ୟୁଟ୍ୟୁବ୍‌ ଚ୍ୟାନେଲରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ଏହାର ଉତ୍ତର ଅପ୍‌ଲୋଡ ହୋଇଥିବା ଦୃଷ୍ଟିଗୋଚର ହେବା ପରେ ବୋର୍ଡ ସାଇବର ଥାନା, କ୍ରାଇମ ବ୍ରାଞ୍ଚ, କଟକଙ୍କ ନିକଟରେ ଅଭିଯୋଗ ଦାଖଲ କରିଛି।
ସୂଚନାଥାଉକି ଗତ ୪ ତାରିଖଠାରୁ ରାଜ୍ୟରେ ଆରମ୍ଭ ହୋଥିବା ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ଶନିବାର ଶେଷ ହୋଇଛି। ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଛନ୍ତି। ବୁଧବାର ପ୍ରଥମ ପରୀକ୍ଷା ଥିବାବେଳେ ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଅଧିକାଂଶ ମେଧାବୀ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ ବୋର୍ଡ ସଭାପତି ଜ୍ୟୋତିପ୍ରକାଶ ଦାସ ଟେକ୍ନିକାଲ ଯାଞ୍ଚପାଇଁ କୋଲ୍‌କାତାର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା କହିଥିଲେ। ଏପରି କି ସମ୍ପୃକ୍ତ ୟୁଟ୍ୟୁବ ବିରୋଧରେ ବୋର୍ଡ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।