ହୃତ୍‌ପିଣ୍ଡ-ଫୁସ୍‌ଫୁସ୍‌ ସଂଯୋଗୀ ନଳୀରୁ କଢ଼ାଗଲା ଜମାଟ ରକ୍ତ

କଟକ ଅଫିସ,୧୮ା୧୦:ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲରେ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ରୋଗୀ ଆକ୍ୟୁଟ ପଲମୋନାରୀ ଥ୍ରମ୍ବୋଏମ୍ବୋଲିଜମ୍‌ ରୋଗରେ ଆକ୍ରାନ୍ତ ହୋଇ କାର୍ଡିଓ ଥେରାସିସ୍‌ ଆଣ୍ଡ ଭସ୍କୁଲାର ସର୍ଜରୀ (ସିଟିଭିଏସ୍‌) ବିଭାଗରେ ଭର୍ତ୍ତି ହୋଇଥିଲେ। ରୋଗୀଙ୍କ ହୃତ୍‌ପିଣ୍ଡରୁ ଫୁସ୍‌ଫୁସ୍‌କୁ ସଂଯୋଗ କରିଥିବା ଦୁଇଟି ରକ୍ତନଳୀରେ ରକ୍ତଜମାଟ ହୋଇଥିଲା। ଦୁଇଟି ରକ୍ତନଳୀରେ ଜମାଟ ବାନ୍ଧିଥିବା ରକ୍ତକୁ କାଢ଼ିବା ପାଇଁ ଡାକ୍ତରୀଦଳକୁ ପ୍ରାୟ ୭ଘଣ୍ଟା ଲାଗିଥିଲା। ରକ୍ତନଳୀରୁ ଜମାଟ ରକ୍ତ କଢାଯିବା ପରେ ରୋଗୀ ଜଣଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ରୋଗୀଙ୍କୁ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।
ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲା ବରୀ ଅଞ୍ଚଳର ସୁଶାନ୍ତ କୁମାର ପତି ଅଣନିଃଶ୍ୱାସୀ ଅନୁଭବ କରୁଥିଲେ। ଚିକିତ୍ସା ନିମନ୍ତେ ସେ ଏସ୍‌ସିବି ମେଡିିକାଲକୁ ଆସିଥିଲେ। ପ୍ରାଥମିକ ପରୀକ୍ଷା ନିରୀକ୍ଷା କରାଯିବା ପରେ ତାଙ୍କୁ ସିଟିଭିଏସ୍‌ ବିଭାଗରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା ଯେ, ତାଙ୍କ ହୃତ୍‌ପିଣ୍ଡରୁ ଫୁସଫୁସକୁ ସଂଯୋଗ କରିଥିବା ଡାହାଣ ରକ୍ତନଳୀରେ ରକ୍ତଜମାଟ ହୋଇଥିବା ଯୋଗୁ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ପାରୁ ନ ଥିଲା। ସେହିପରି ବାମପାର୍ଶ୍ୱର ରକ୍ତବାହୀ ନଳୀରେ ମଧ୍ୟ ରକ୍ତପ୍ରବାହ ସମ୍ପୂର୍ଣ୍ଣ ଭାବେ ହେଉ ନ ଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର, ନିଶ୍ଚେତନ ଏବଂ ରକ୍ତ ସଞ୍ଚାଳକ ଏଭଳି ୩ଟି ଦଳ ଗଠନ ହୋଇଥିଲା। ନିଶ୍ଚେତନ ଏବଂ ରକ୍ତ ସଞ୍ଚାଳକ ଦଳ କୃତ୍ରିମ ଫୁସ୍‌ଫୁସ୍‌ ମେଶିନ ଦ୍ୱାରା ରକ୍ତବାହୀ ନଳୀକୁ ବାଇପାସ୍‌ କରିଥିଲେ। ଦୁଇଟି ଯାକ ନଳୀରୁ ଜମାଟ ହୋଇଥିବା ରକ୍ତକୁ ବାହାର କରାଯାଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ପଟ୍ଟନାୟକଙ୍କ ସମେତ ସହକାରୀ ପ୍ରଫେସର ଡ. ସାରଦା ପ୍ରସନ୍ନ ସାହୁ, ସହକାରୀ ପ୍ରଫେସର ଡ. ଚିତ୍ତରଞ୍ଜନ ଥାଟୋଇ, ନିଶ୍ଚେତନ ବିଭାଗ ବିଶେଷଜ୍ଞ ଡା. ଦେବାଶିଷ ସ୍ବାଇଁ, ଡା. ଅରୁଣ ସାହୁ, ଡା. ସୌଭାଗ୍ୟ, ରକ୍ତ ସଞ୍ଚାଳନ ବିଶେଷଜ୍ଞ ଡା. ସନାତନ, ଡା. ସୁଶାନ୍ତ ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଏଭଳି ଜଟିଳ ଅସ୍ତ୍ରୋପଚାର ଏସ୍‌ସିବିରେ ଦ୍ୱିତୀୟ ଥର ପାଇଁ ହୋଇଛି। ସରକାର ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଇଥିବାରୁ ରୋଗୀଙ୍କୁ ମାଗଣାରେ ଏଭଳି ଜଟିଳ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସମ୍ଭବ ହୋଇପାରୁଛି ବୋଲି ସିଟିଭିଏସ୍‌ ମୁଖ୍ୟ ପ୍ରଫେସର ପଟ୍ଟନାୟକ କହିଛନ୍ତି।