ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୯ ବର୍ଷ ହେଲା ଏହି ଗ୍ରାମବାସୀ ଜାତିପ୍ରଥାର ଘୃଣ୍ୟ ପରମ୍ପରାକୁ ପଛରେ ପକାଇ ନୂଆଁଖାଇ ଦିନ ସମାଜବାଦ ଓ ମାନବବାଦର ମହାନ ବାର୍ତ୍ତା ଦେଇଆସୁଛନ୍ତି।
ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ବହୁ ଊର୍ଦ୍ଧ୍ୱକୁ ଉଠି ଏହି ଗ୍ରାମବାସୀ ସାମୂହିକ ଭାବେ ନୂଆଁଖାଇ ପାଳନ କରି ତିହାରର ଅସଲ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି। ଶିରାବାହାଲର ଏହି ସାମୂହିକ ନୂଆଁଖାଇରୁ ଏବେ ଆଖପାଖ ଅଞ୍ଚଳର ଲୋକେ ପ୍ରେରଣା ନେଉଛନ୍ତି।
୧୯ ବର୍ଷ ତଳେ ଏହି ଗାଁର ଲୋକେ ଏକାଠି ହୋଇ ଭାଗବତ ପରାୟଣ ସପ୍ତାହ ପାଳନ କରିଥିଲେ। ଏହି ଅବସରରେ ୭ ଦିନ ଧରି ସମସ୍ତ ପରିବାର ଏକାଠି ମିଶି ଅନ୍ନପ୍ରସାଦ ସେବନ କରିଥିଲେ। ସେହିବର୍ଷ ନୂଆଁଖାଇ ପାଳନ କରିବା ପାଇଁ ଶିରାବାହାଲ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଇଁ ସିଦ୍ଧାନ୍ତ ନେଇଥିଲେ। ସେହିଦିନଠାରୁ ଗାଁରେ ଥିବା ବିଭିନ୍ନ ଜାତି ଓ ଧର୍ମର ଲୋକେ ଗାଁ ମଝିରାସ୍ତାରେ ଏକାଠି ବସି ନୂଆଁ ଖାଇ ଆସୁଛନ୍ତି।
ଚଳିତବର୍ଷ ମଧ୍ୟ ନୂଆଁଖାଇର ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗାଁ ମଧ୍ୟଭାଗରେ ଥିବା ଭାଗବତ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ନୂଆଁଖାଇ ଲଗ୍ନ ସ୍ଥିର କରାଯିବା ସହ ପ୍ରତ୍ୟେକ ପରିବାର ପିଛା କେତେ ସହଯୋଗ ରାଶି ଦେବେ, ତାହା ନିର୍ଦ୍ଧାରଣ କରାଯାଇଥିଲା। ନୂଆଁଖାଇର ୭/୮ ଦିନ ପୂର୍ବରୁ ଆଉ ଏକ ବୈଠକ କରାଯାଇ ଆୟୋଜନର ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଥିଲା।
ମଙ୍ଗଳବାର ସକାଳେ ବିଧି ଅନୁଯାୟୀ ଲଗ୍ନ ଅନୁସାରେ ଗାଁର ଝାଙ୍କର ଗ୍ରାମଦେବୀ କନ୍ଧେନବୁଢ଼ୀଙ୍କ ନିକଟରେ ନବାନ୍ନ ଅର୍ପଣ କରିଥିଲେ। ଏହାପରେ ଭାଗବତ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଏକତ୍ରିତ ହୋଇ ଧାଡ଼ିରେ ବସିଥିଲେ। ଗ୍ରାମଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ଏହାକୁ ପ୍ରସାଦ ଆକାରରେ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଭୋଜିଭାତର ଆସର।
ଅପରାହ୍ନରେ ନୂଆଁଖାଇ ଜୁହାର ଓ ଭେଟଘାଟ ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମବାସୀ ନୂଆଁଖାଇର ଅସଲ ଉଦ୍ଦେଶ୍ୟକୁ ବୁଝି ଏହି ପରମ୍ପରାକୁ ଆଗାମୀ ଦିନରେ ମଧ୍ୟ ବଜାୟ ରଖିବାକୁ ଗୁରୁତ୍ୱ ଦେଇଥିଲେ।