ଧରାହେଲା ୧୨ ଫୁଟ ଲମ୍ବର କୁମ୍ଭୀର

ଭୋଗରାଇ,୧୩ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ବେଳାଭୂମିରୁ ୧୨ ଫୁଟ ଲମ୍ବର ଏକ ବଉଳା କୁମ୍ଭୀରକୁ ଉଦୟପୁର ବନବିଭାଗ ଶୁକ୍ରବାର ସକାଳେ କାବୁ କରିଛି। କୁମ୍ଭୀରକୁ ସେଠାରୁ ଆଣି ଡାକ୍ତରୀ ପରୀକ୍ଷା ପାଇଁ ବାଲେଶ୍ୱର ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟକୁ ପଠାଯାଇଛି।

ସୂଚନାନୁଯାୟୀ, ଉକ୍ତ ବିଶାଳକାୟ କୁମ୍ଭୀର ବାଲିଚରରେ ନିଜ ଶରୀରକୁ ଢାଙ୍କିଦେଇ ମୁହଁ ଖୋଲା ରଖିଥିଲା। ମତ୍ସ୍ୟଜୀବୀମାନେ ଡଙ୍ଗାରେ ମାଛମାରିବାକୁ ଯାଇ ସେହି ଚରରେ ବିଶ୍ରାମ ନେଇଥିଲେ। ଏକ କାଠ ଗଣ୍ଡି ପଡ଼ିଥିବା ଭାବି ସେ ଏଥିରେ ବସିବାକୁ ଯାଉଥିବା ବେଳେ କୁମ୍ଭୀରକୁ ଦେଖି ଭୟରେ ପଳାଇଯାଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ସେଠାକୁ ଯାଇ କୁମ୍ଭୀରକୁ କୌଶଳ କ୍ରମେ ଜାଲ ଘେରି କାବୁ କରିବା ସହିତ ମୋଟା ରଶିରେ ମୁହଁ ଓ ଶରୀରକୁ ବାନ୍ଧି ଡଙ୍ଗା ଯୋଗେ ବିଚିତ୍ରପୁର ଇକୋ ଟୁରିଜିମ୍‌କୁ ଆଣିଥିଲା। କୁମ୍ଭୀରକୁ ଗାଡ଼ିରେ ବାଲେଶ୍ୱର ପ୍ରାଣୀଧନ ଚିକତ୍ସାଳୟକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏହି ବେଳାଭୂମିରୁ ପ୍ରଥମଥର ପାଇଁ ବିଶାଳକାୟ କୁମ୍ଭୀର ଧରାଯାଇଥିବାରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଛି।