ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ। ଏହି ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ କାର୍ଯ୍ୟାଳୟକୁ ଏକାଠି କରାଯିବା ସହ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦକ୍ଷ ଓ ସମନ୍ୱିତ କରିବାକୁ ଗୁରୁତ୍ୱ ଦିଆଯିବ।

ନୂତନ ରାଜସ୍ୱ ଭବନରେ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ କେନ୍ଦ୍ର (SRC) କାର୍ଯ୍ୟାଳୟ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF), ଅଗ୍ନିଶମ ସେବା, ଓଡ୍ରାଫ୍ (ODRAF) ସମେତ ବିପର୍ଯ୍ୟୟ ପରିଚାଳନା ସହ ଜଡ଼ିତ ସମସ୍ତ ପ୍ରମୁଖ ବିଭାଗକୁ ସ୍ଥାନ ଦିଆଯିବ। ଏହା ଫଳରେ ବିପର୍ଯ୍ୟୟ ସମୟରେ ବିଭିନ୍ନ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ଦ୍ରୁତ ପଦକ୍ଷେପ ନେବାରେ ସୁବିଧା ହେବ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଭବନର ରୂପରେଖ ପ୍ରସ୍ତୁତ କରାଯାଉଛି। ଏହା କାର୍ଯ୍ୟକ୍ଷମ ହେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ସେବାକୁ ଆହୁରି ସୁଚାରୁ ଓ ଦକ୍ଷତାର ସହ ପରିଚାଳନା କରାଯାଇପାରିବ।

 

Dharitri – Odisha’s No.1 Odia Daily

Share