ହାଲୁକା ଧାତୁ ଲିଥିୟମ୍‌

ଧାତୁଗୁଡ଼ିକ ମଧ୍ୟରେ ଲିଥିୟମ୍‌ ହେଉଛି ସବୁଠାରୁ ହାଲୁକା। ଆଧୁନିକ ଡିଜିଟାଲ ଯୁଗରେ ଏହାର ଆବଶ୍ୟକତା ଅଧିକ ହେଉଥିବାରୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ନିକଟରେ ଭାରତରେ ଜମ୍ମୁ-କଶ୍ମୀର ଅଞ୍ଚଳରେ ୫.୯ ନିୟୁତ ଟନ୍‌ ଲିଥିୟମ୍‌ ମହଜୁଦ ଥିବାର ଜଣାପଡ଼ିବା ପରେ ଦେଶରେ ବିଦ୍ୟୁତ୍‌ଚାଳିତ ଯାନ ବ୍ୟବହାର ବୃଦ୍ଧି ପାଇବାର ଆଶା ସଞ୍ଚାର ହୋଇଛି। ପୃଥିବୀରେ ଏହା ହେଉଛି ଅନ୍ୟତମ ବୃହତ୍‌ ଲିଥିୟମ୍‌ ଭଣ୍ଡାର।
ସୁଇଡେନ୍‌ ରସାୟନ ବିଜ୍ଞାନୀ ଜୋହାନ୍‌ ଅଗଷ୍ଟ ଆର୍ଫଓ୍ବେଡସନ୍‌ ୧୮୧୭ ମସିହାରେ ପେଟାଲାଇଟ୍‌ ଖଣିପିଣ୍ଡକୁ ବିଶ୍ଳେଷଣ କରୁଥିବା ସମୟରେ ଲିଥିୟମ୍‌ ଆବିଷ୍କାର କରିଥିଲେ। ଗ୍ରୀକ୍‌ ଶବ୍ଦ ‘ଲିଥୋସ୍‌’ରୁ ଲିଥିୟମ୍‌ ଶବ୍ଦ ଆସିଛି। ଲିଥୋସ୍‌ର ଅର୍ଥ ହେଉଛି ପଥୁରିଆ। ଇଂରେଜ ବୈଜ୍ଞାନିକ ହମ୍ଫ୍ରି ଡେଭି ବୈଦ୍ୟୁତିକ ବିଶ୍ଳେଷଣ ଦ୍ୱାରା ଲିଥିୟମ୍‌ କ୍ଲୋରାଇଡରୁ ପ୍ରଥମେ ଅଳ୍ପ ପରିମାଣର ଶୁଦ୍ଧ ହିଲିୟମ୍‌ ଉତ୍ପାଦନ କରିଥିଲେ।
ଲିଥିୟମ୍‌ର ପରମାଣୁ କ୍ରମାଙ୍କ ହେଉଛି ୩ ଏବଂ ଏହାର ପରମାଣିକ ଓଜନ ହେଉଛି ୬.୯୪୧। ଏହାର ଗଣନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ ହେଉଛି ୧୮୦.୫ ଡିଗ୍ରୀ ଓ ୧୩୪୨ ଡିଗ୍ରୀ ସେଲ୍‌ସିୟସ୍‌। ଏହା ହେଉଛି ଏକ କ୍ଷାର ଧାତୁ ଏବଂ ରୁପା ଭଳି ଦ୍ୟୁତିମୟ। ସମସ୍ତ ଧାତୁ ମଧ୍ୟରେ ଏହାର ସାନ୍ଧ୍ରତା ହେଉଛି କମ୍‌। ଏହା ଜଳ ସହିତ ତୀବ୍ର ପ୍ରତିକ୍ରିୟା କରେ।
ଲିଥିୟମ୍‌ ସାଧାରଣତଃ ଆଗ୍ନେୟ ଶିଳାରେ ଥାଏ। ଏହାର ମୁଖ୍ୟ ଖଣିପିଣ୍ଡଗୁଡ଼ିକ ହେଉଛି ସ୍ପୋଡୁମେନେ, ଲେପିଡୋଲାଇଟ୍‌ ଏବଂ ପେଟାଲାଇଟ୍‌। ଏହା ଚିଲି, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଚାଇନା, ରୁଷିଆ, କାନାଡ଼ା, ବ୍ରାଜିଲ, ବଲିଭିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଅଛି। ପୃଥିବୀରେ ମୋଟ ଗଚ୍ଛିତ ଲିଥିୟମ୍‌ର ପରିମାଣ ହେଉଛି ୧୧ ନିୟୁତ ମେଟ୍ରିକ୍‌ ଟନ୍‌। ଚିଲିରେ ସର୍ବାଧିକ ତିନି ନିୟୁତ ମେଟ୍ରିକ ଟନ୍‌ ଲିଥିୟମ୍‌ ଗଚ୍ଛିତ ଅଛି। ତିନୋଟି ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏବଂ ବ୍ରାଜିଲ ଓ ବଲିଭିଆରେ ପୃଥିବୀର ମୋଟ ଲିଥିୟମ୍‌ର ୮୦ ପ୍ରତିଶତ ଅଛି।
ଲିଥିୟମ୍‌ର ବହୁବିଧ ଉପଯୋଗ ଅଛି। ବିଶେଷ ପ୍ରକାର କାଚ ଓ ସେରାମିକ୍‌ ପ୍ରସ୍ତୁତିରେ ଏହା ବ୍ୟବହାର କରାଯାଏ। ଏହିସବୁ ପଦାର୍ଥର ଗଳନାଙ୍କ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ। ଏଥିଯୋଗୁ ହାଲୁକା ଓ ମଜଭୁତ କାଚ ଏବଂ ଅଧିକ ତାପ-ରୋଧି ସେରାମିକ୍‌ ଉତ୍ପାଦିତ ହୋଇପାରିଥାଏ। ବିଭିନ୍ନ ପ୍ରକାର ମିଶ୍ରଧାତୁରେ ରହି ଏହା ବ୍ୟବହାର ହୋଇଥାଏ। ଉଦାହରଣସ୍ବରୂପ, ଲିଥିୟମ-ସୀସା ମିଶ୍ର ଧାତୁ ଗାଡ଼ିମୋଟରର ବିୟରିଂ ପାଇଁ ଏବଂ ଲିଥିୟମ୍‌-ଆଲୁମିନିୟମ ମିଶ୍ର ଧାତୁ ଉଡ଼ାଜାହାଜ ନିର୍ମାଣରେ ବ୍ୟବହୃତ ହୁଏ। ଚିକିତ୍ସା କ୍ଷେତ୍ରରେ ମାନସିକ ରୋଗ ପାଇଁ ଲିଥିୟମ୍‌ କାର୍ବୋନେଟ୍‌ ବ୍ୟବହୃତ ହେଉଛି। ସେହିପରି ଲିଥିୟମ୍‌ ବାଇକାର୍ବୋନେଟ୍‌ ଓ ଲିଥିୟମ୍‌ ସାଲିସାଇଲେଟ୍‌ ଗଣ୍ଠିବାତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ପାଣିପାଗ ନିର୍ଣ୍ଣୟରେ ଏବଂ ବେଲୁନ୍‌ରେ ଉଦ୍‌ଜାନର ଉତ୍ସ ଭାବେ ଲିଥିୟମ୍‌ ହାଇଡ୍ରାଇଡ୍‌ ବ୍ୟବହାର କରାଯାଏ। ଲିଥିୟମ୍‌ର ସର୍ବାଧିକ ବ୍ୟବହାର ବ୍ୟାଟେରି ନିର୍ମାଣରେ ହୁଏ। ମୋବାଇଲ୍‌ ଫୋନ୍‌, ଲାପ୍‌ଟପ, ପେସ୍‌ମେକର ଆଦିରେ ଲିଥିୟମ୍‌-ଆୟନ ବ୍ୟାଟେରି ବ୍ୟବହୃତ ହେଉଛି। ଏହା ବ୍ୟତୀତ ବିଦ୍ୟୁତ୍‌ଚାଳିତ ଗାଡ଼ିରେ ଏହି ବ୍ୟାଟେରି ବ୍ୟବହୃତ ହୁଏ। ଅନ୍ୟ ବ୍ୟାଟେରି ଅପେକ୍ଷା ଏହା କମ୍‌ ଓଜନ, ଉଚ୍ଚ ଶକ୍ତି ସାନ୍ଧ୍ରତା ଏବଂ ନିମ୍ନ ସ୍ବୟଂ ଡିସ୍‌ଚାର୍ଜ ହାର ହେତୁ ଏହାର ଆଦର ହେଉଛି ବେଶି।
ପେଟ୍ରୋଲିୟମଚାଳିତ ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ ଜାଗତିକ ଉଷ୍ମତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଏଥିପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ହ୍ରାସ କରିବା ନିମିତ୍ତ ଅନ୍ତର୍ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯାଇଛି ଏବଂ ପ୍ରତ୍ୟେକ ଦେଶ ନିର୍ଦ୍ଦିଷ୍ଟ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍‌ ହ୍ରାସ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦିନକୁ ଦିନ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଚିନ୍ତାର କାରଣ ହୋଇଛି। ଗତ କିଛି ବର୍ଷ ତଳେ ବିଦ୍ୟୁତ୍‌ଚାଳିତ ଗାଡ଼ିର ବିକାଶ କିଛି ଆଶା ସଞ୍ଚାର କରିଛି। ଏହି ଗାଡ଼ି ବ୍ୟାଟେରିରୁ ବିଦ୍ୟୁତ୍‌ ଶକ୍ତି ନେଇ ଚାଲିଥାଏ। ଏହି ବ୍ୟାଟେରି ଲିଥିୟମ୍‌ରୁ ନିର୍ମିତ ହୋଇଥିବାରୁ ଲିଥିୟମ୍‌ର ଚାହିଦା ବୃଦ୍ଧି ପାଇଛି।
ଭାରତରେ ଲିଥିୟମ ଉପଲବ୍ଧ ନ ଥିବାରୁ ଆମେ ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଛେ। ଭାରତ ଆବଶ୍ୟକତାର ୮୦ ପ୍ରତିଶତ ଲିଥିୟମ୍‌ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନାରୁ ଆମଦାନୀ କରୁଛି। ଏଥିପାଇଁ ବିଦ୍ୟୁତ୍‌ ଗାଡ଼ି ନିର୍ମାଣରେ ଆମେ ମଧ୍ୟ ପଛରେ ପଡ଼ିଯାଇଛେ। ଜମ୍ମୁ-କଶ୍ମୀରରେ ଆବିଷ୍କୃତ ଖଣିରୁ ଲିଥିୟମ୍‌ ଉତ୍ପାଦନ କରିବା ପାଇଁ ପ୍ରାୟ ଦଶ ବର୍ଷ ଲାଗିଯାଇପାରେ। ଭାରତ ନିଜର ଆବଶ୍ୟକତା ପୂରଣ ସହିତ ଏହାକୁ ରପ୍ତାନି ମଧ୍ୟ କରିପାରିବ। ବର୍ତ୍ତମାନ ସମଗ୍ର ପୃଥିବୀରେ ଲିଥିୟମ୍‌-ଆୟନ ବ୍ୟାଟେରି ନିର୍ମାଣରେ ଚାଇନା ଆଧିପତ୍ୟ ବିସ୍ତାର କରିଛି। ପୃଥିବୀର ଲିଥିୟମ୍‌-ଆୟନ ବ୍ୟାଟେରିର ମୋଟ ଉତ୍ପାଦନର ତିନି-ଚତୁର୍ଥାଂଶ ଚାଇନାରେ ହେଉଛି। ପୃଥିବୀର ମୋଟ ଲିଥିୟମ୍‌ର ପ୍ରାୟ ଦଶ ପ୍ରତିଶତ ଚାଇନାରେ ରହିଛି। ପୁନଶ୍ଚ ଲିଥିୟମ୍‌ ଖଣିଜରୁ ଲିଥିୟମ୍‌ ଧାତୁ ନିଷ୍କାସନ ହେଉଛି ଏକ ଜଟିଳ ପ୍ରକ୍ରିୟା। ଏଥିପାଇଁ ପ୍ରଥମେ ଖଣିପିଣ୍ଡକୁ ଗୁଣ୍ଡ କରାଯାଏ ଏବଂ ଏହାପରେ ବିଭିନ୍ନ ପଦ୍ଧତି, ଯଥା ଫେଣ ପ୍ଳବନ, ଚୁମ୍ବକୀୟ ପୃଥକୀକରଣ ଓ ମାଧ୍ୟାକର୍ଷଣ ପୃଥକୀକରଣ ଦ୍ୱାରା ଖଣିଜରୁ ଅପଦ୍ରବଗୁଡ଼ିକୁ ବାହାର କରିଦିଆଯାଏ। ଏହାପରେ ପ୍ରାପ୍ତ ହେଉଥିବା ଲିଥିୟମ୍‌ କ୍ଲୋରାଇଡ୍‌ର ବୈଦ୍ୟୁତିକ ବିଶ୍ଳେଷଣ ପ୍ରକ୍ରିୟାରେ ଲିଥିୟମ୍‌ ଧାତୁ ଉତ୍ପାଦନ କରାଯାଏ। ଚାଇନା ପାଖରେ ପୃଥିବୀର ମୋଟ ଲିଥିୟମ୍‌ ପ୍ରକ୍ରିୟାକରଣ ଓ ବିଶୋଧନ କ୍ଷମତାର ୬୦ ପ୍ରତିଶତ ଅଛି। ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଭାରତରେ ସଦ୍ୟ ଆବିଷ୍କୃତ ଲିଥିୟମ୍‌ ଖଣି ହେଉଛି ଦେଶ ପାଇଁ ବରଦାନ ସଦୃଶ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri