Odisha Elections 2024

ସାର୍‌ ମାଡାମ୍‌ ନୁହେଁ, ଟିଚର

ଭାରତର ଅନ୍ୟତମ ଆଗୁଆ ରାଜ୍ୟ କେରଳ। ଏଣିକି ସେଠାରେ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନେ ସେମାନଙ୍କର ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମାଡାମ୍‌ କିମ୍ବା ସାର୍‌ ବଦଳରେ କେବଳ ଟିଚର ସମ୍ବୋଧନ କରିବେ। କେରଳ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ଏପରି ଏକ ମହତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଲିଙ୍ଗଗତ ନିରପେକ୍ଷତା ଦୃଷ୍ଟିରୁ ସ୍କୁଲରେ ଟିଚର ସମ୍ବୋଧନ ସପକ୍ଷରେ ଆୟୋଗ ପକ୍ଷରୁ ମତ ରଖାଯାଇଛି। ଏହା ଦ୍ୱାରା ପିଲାମାନଙ୍କ ମନରେ ଲିଙ୍ଗଗତ ଭେଦଭାବ ରହିବ ନାହିଁ। ଶିକ୍ଷକମାନଙ୍କୁ ମାଡାମ୍‌ ବା ସାର୍‌ ସମ୍ବୋଧନ କରିବା ଦ୍ୱାରା ପିଲାମାନଙ୍କ ମନରେ ପ୍ରଥମରୁ ସୃଷ୍ଟି ହେଉଥିବା ଲିଙ୍ଗଗତ ଭେଦଭାବକୁ ଦୂରକରିବା ପାଇଁ ଜଣେ ଆବେଦନକାରୀଙ୍କ ଦରଖାସ୍ତକୁ ବିଚାର କରି ଆୟୋଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପ୍ରଥମରୁ ପିଲାମାନେ ଯେତେବେଳେ ବିଦ୍ୟାଳୟରେ ଲିଙ୍ଗଗତ ସମାନତାକୁ ବୁଝିବେ, ବଡ଼ ହେଲାପରେ ସେମାନଙ୍କ ବ୍ୟବହାରରେ ତାହା ବି ପ୍ରତିଫଳିତ ହେବ।
ପ୍ରକାଶ ଯୋଗ୍ୟ ଯେ ଦୁଇବର୍ଷ ପୂର୍ବେ ଏହିଭଳି ଏକ ପଦକ୍ଷେପ ସେହି କେରଳର ଗୋଟିଏ ଗ୍ରାମପଞ୍ଚାୟତ ପକ୍ଷରୁ ନିଆଯାଇଥିଲା। ଉପରୋକ୍ତ ବିଦ୍ୟାଳୟଠାରୁ ୧୪ କିଲୋମିଟର ଦୂରରେ ଥିବା ମଥୁର ପଞ୍ଚାୟତ ପକ୍ଷରୁ ସମସ୍ତ ପଞ୍ଚାୟତବାସୀଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ପଞ୍ଚାୟତରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାର୍‌ କିମ୍ବା ମାଡାମ୍‌ ଡାକିବା ବଦଳରେ ସେମାନଙ୍କ ପଦବୀ ଅନୁସାରେ ସମ୍ବୋଧନ କରନ୍ତୁ। ସେହିପରି ଗତବର୍ଷ କେରଳର ପାଲାକାଡ଼ ଜିଲା ଅନ୍ତର୍ଗତ ଓଲାସେରି ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ସାର୍‌ କିମ୍ବା ମାଡାମଡାକିବା ବଦଳରେ ଟିଚର ସମ୍ବୋଧନ କରିବାକୁ କୁହାଯାଇଥିଲା। ପ୍ରଥମେ ପ୍ରଥମେ ପିଲାମାନଙ୍କୁ ଏହା ଅସୁବିଧା ହୋଇଥିଲେ ହେଁ ପରେ ଏହା ସହଜ ହୋଇଯାଇଥିଲା। ସେହି ସ୍କୁଲରେ ୯ ଜଣ ମହିଳା ଶିକ୍ଷକ ଥିବା ବେଳେ ଜଣେମାତ୍ର ପୁରୁଷ ଶିକ୍ଷକ ଥିଲେ। ସେହି ପୁରୁଷ ଶିକ୍ଷକଙ୍କ ପ୍ରୟାସ କ୍ରମେ ପ୍ରଧାନ ଶିକ୍ଷକ ଏପରି ପଦକ୍ଷେପ ନେଇଥିଲେ। ସେହି ପୁରୁଷ ଶିକ୍ଷକ ନିକଟସ୍ଥ ଏକ ସ୍ବେଚ୍ଛାସେବୀ ସଂଗଠନ ବୋବାନ ମାଟୁମନ୍ଥାର ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେହି ଅନୁଷ୍ଠାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସାର୍‌ ଓ ମାଡାମ୍‌ ସମ୍ବୋଧନକୁ ହଟାଇ ସେମାନଙ୍କ ପଦବୀ ଅନୁସାରେ ସମ୍ବୋଧନ କରିବାକୁ ଅଭିଯାନ ଚଳାଉଛିି। ଏହା ପକ୍ଷରୁ କେରଳ ସରକାରଙ୍କୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲିଙ୍ଗଗତ ପ୍ରଭେଦକୁ ଦୂରକରିବା ନିମନ୍ତେ ସାର୍‌ ବା ମାଡାମ୍‌ ପରିବର୍ତ୍ତେ ସେମାନଙ୍କ ପଦବୀରେ ସମ୍ବୋଧନ କରିବାକୁ ନିବେଦନ କରାଯାଇଛି।
କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଲୈଙ୍ଗିକ ଭେଦଭାବ ଦୂର ପାଇଁ ପ୍ରୟାସ ଜାରି ରହିଛି। ଫ୍ରାନ୍‌ସରେ କିଛି ସହରର ନାମକୁ ଚଳିତ ବର୍ଷ ସ୍ତ୍ରୀଲିଙ୍ଗକୁ ବଦଳା ଯାଇଛି। ଅର୍ଥାତ୍‌ ସହର ନାମ ଶେଷରେ ଆଉ ଏକ ଇଂଲିଶ ‘ଇ’ ଯୋଡ଼ା ଯାଇ ଏହାକୁ ସ୍ତ୍ରୀଲିଙ୍ଗ କରାଯାଇଛି। ଯେପରିକି ପାଣ୍ଟିନ ସହର ନାମରେ ଆଉ ଏକ ଇଂଲିଶ ‘ଇ’ ଯୋଡ଼ି ଏହାକୁ ପାଣ୍ଟିନି କରାଯାଇଛି ଓ ଦେଶବାସୀଙ୍କୁ ଲିଙ୍ଗଗତ ସମାନତା କ୍ଷେତ୍ରରେ ଏହା ସଚେତନ କରିବ ବୋଲି କୁହାଯାଉଛି।
ସାର୍‌ ଓ ମାଡାମ୍‌ ଏହି ଦୁଇଟି ଔପନିବେଶିକ ଶବ୍ଦ ଓ ଭାରତରେ ଏହା ଇଂରେଜ ଶାସନରୁ ପ୍ରଚଳିତ ହୋଇଆସୁଛି। ଲିଙ୍ଗଗତ ଆଧାରରେ ଏହା ସମ୍ମାନର ସହ ଉଚ୍ଚାରଣ ଓ ସମ୍ବୋଧନ କରାଯାଏ। କେରଳରେ ବିଦ୍ୟାଳୟଗୁଡିକରେ ଏହାକୁ ଉଠାଇଦେବା ପରେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ବି ଲାଗୁକରାଯିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବୋବାନ ମାଟୁମନ୍ଥା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି।
ଲିଙ୍ଗଗତ ପ୍ରଭେଦ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ଏହା ଅଳ୍ପ ବହୁତ ବିଦ୍ୟମାନ। ବର୍ଷ ବର୍ଷ ଧରି ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ଆଗରେ ରଖାଯାଇଛି। ସେଥିପାଇଁ ସମାଜକୁ ପୁରୁଷ ପ୍ରଧାନ ବୋଲି ଅନେକ ସମୟରେ ସମାଲୋଚନା କରାଯାଇଥାଏ। ଏପରିକି ଅନେକ ରାଷ୍ଟ୍ରରେ ମହିଳାମାନଙ୍କୁ ବହୁ ବିଳମ୍ବରେ ଭୋଟଦାନର ଅଧିକାର ମିଳିଥିଲା। ଶିକ୍ଷା, ନିଯୁକ୍ତିରେ ସେମାନଙ୍କୁ ପାତରଅନ୍ତର କରାଯାଉଥିଲା। ସଭ୍ୟତାର ବିକାଶ ସହ ସମାଜରେ ଅନେକ ପରିବର୍ତ୍ତନ ଆସୁଛି। ସେମାନଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସେମାନଙ୍କୁ ପୁରୁଷ ସହ ସମାନ ଦୃଷ୍ଟିରେ ଦେଖାଯାଉଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ କ୍ରମଶଃ ହ୍ରାସ ପାଉଛି। ନାରୀ ସ୍ବାଧୀନତା ଓ ସେମାନଙ୍କ ବିକାଶ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଏକ ଉଦାହରଣ। ସ୍ବାଧୀନତା ହାସଲ ପରେ ଦୁଇଜଣ ମହିଳା ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ନିଶ୍ଚିତ ଗୌରବର ବିଷୟ। ଶିକ୍ଷା, ରୋଜଗାର, ନିଯୁକ୍ତି, ସୁରକ୍ଷା, ଗବେଷଣା, ରାଜନୀତି ଓ କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଭାରତୀୟ ନାରୀଙ୍କୁ ମିଳୁଛି ଅଭୂତପୂର୍ବ ସୁଯୋଗ ଓ ସଫଳତା। ପ୍ରତ୍ୟେକ କ୍ଷେତ୍ରରେ ନାରୀ ଓ ପୁରୁଷଙ୍କୁ ମିଳୁଛି ସମାନାଧିକାର। ଭାରତୀୟ ନାରୀଙ୍କୁ ମିଳୁଛି ପୁନର୍ବିବାହ ଅଧିକାର, ଛାଡ଼ପତ୍ର ଅଧିକାର, ପୈତୃକ ସମ୍ପତ୍ତିର ଅଧିକାର, ପୋଷ୍ୟପୁତ୍ର ଗ୍ରହଣର ଅଧିକାର। ଯୌତୁକ ପ୍ରଥା ଭଳି ସାମାଜିକ ବ୍ୟାଧି ଉଚ୍ଛେଦ ନାରୀଙ୍କୁ ପ୍ରଦାନ କରିଛି ସମ୍ମାନ ଓ ସ୍ବାଭିମାନ। ଭାରତୀୟ ମହିଳା ସଶକ୍ତୀକରଣ ନୀତିକୁ ସମଗ୍ର ବିଶ୍ବ କରୁଛି ଅନୁକରଣ।
ଅନ୍ତର୍ଜାତୀୟ ସଂସ୍ଥା ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ୩୪ଟି ଦେଶରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ୯୪ ଭାଗ ଲୋକ ଚାହାନ୍ତି ପୁରୁଷ ଭଳି ମହିଳାଙ୍କୁ ମଧ୍ୟ ସମସ୍ତ ଅଧିକାର ସମାନ ଭାବେ ମିଳୁ। କିନ୍ତୁ ବାସ୍ତବତା କିଛି ଭିନ୍ନ। ମୋଟା ଅଙ୍କଯୁକ୍ତ ଚାକିରି ପାଇବା କ୍ଷେତ୍ରରେ ଅଧିକାଂଶ ୟୁରୋପୀୟ ଦେଶ, ଜାପାନ, ଦକ୍ଷିଣ କୋରିଆ, ଇସ୍ରାଏଲ, କାନାଡା, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ମିଳୁଛି ଅଧିକ ସୁଯୋଗ। ସେହିଭଳି ରାଜନୀତି କ୍ଷେତ୍ରରେ ମଧ୍ୟ ଅନେକ ଦେଶରେ ଯେପରିକି ନାଇଜେରିଆ, ଦକ୍ଷିଣ କୋରିଆ, ଜାପାନ, ତୁର୍କୀ, ଇସ୍ରାଏଲ, ଲେବାନନ, ଇଟାଲୀ, ଟ୍ୟୁନିସିଆ, ଫ୍ରାନ୍ସ ଭଳି ଦେଶରେ ମହିଳାଙ୍କଠାରୁ ପୁରୁଷଙ୍କୁ ମିଳୁଛି ବେଶି ସୁଯୋଗ। ସର୍ବେକ୍ଷଣ କରାଯାଇଥିବା ଦେଶଗୁଡିକରୁ କିନ୍ତୁ ଗୋଟିଏ ଭଲ ଖବର ଜାଣିବାକୁ ମିଳିଥିଲା। ପରିବାରରେ ଉଭୟ ପତ୍ନୀ ଓ ପତି ଅର୍ଥ ଉପାର୍ଜନ କରିବା ଓ ମିଳିତ ଭାବେ ଘରର ଯତ୍ନ ନେବାକୁ ଅଧିକାଂଶ ସମର୍ଥନ କରିଥିଲେ। ମହିଳାମାନେ ଘରେ ରହି ପିଲାମାନଙ୍କର ଓ ଘରର ଯତ୍ନ ନେବା ସପକ୍ଷରେ ବହୁତ କମ୍‌ ମତ ମିଳିଥିଲା। ତେବେ ବର୍ଷ ବର୍ଷ ଧରି ରହିଆସିଥିବା ନାରୀ-ପୁରୁଷ ପ୍ରଭେଦର ଭାବନା ରାତାରାତି ଦୂର ହେବା ସହଜ ନୁହେଁ। ଲିଙ୍ଗଗତ ଭେଦଭାବ ସମ୍ପୂର୍ଣ୍ଣ ଦୂର ହେବାପାଇଁ ନିଶ୍ଚିତ ସମୟ ଲାଗିବ। ଏଥିପାଇଁ ବ୍ୟାପକ ଜନ ସଚେତନତା ସହ ସରକାରୀ କ୍ଷେତ୍ରରେ ଏହାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଜରୁରୀ।

  • ପ୍ରକାଶ ତ୍ରିପାଠୀ
    ମୋ-୯୪୩୭୨୩୨୪୬୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri