ଶୂନ ଉତ୍ତରଦାୟିତ୍ୱ

ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣା ଉପରେ ଟିକିନିକି ରିପୋର୍ଟିଂ କରି ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବାର ଦାୟିତ୍ୱ ମିଡିଆ ବା ଗଣମାଧ୍ୟମର ରହିଛି। ଗଣତନ୍ତ୍ରର ଏକ ଜାଗ୍ରତ ପ୍ରହରୀ ଭାବେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ଥିବାରୁ ସମାଜର ସବୁ ବର୍ଗଙ୍କ ପାଇଁ ବିଶ୍ୱସନୀୟ ବିଷୟବସ୍ତୁ ଭେଟି ଦିଆଯିବା କଥା। ହେଲେ କିଛିବର୍ଷ ହେବ ଦେଖାଯାଉଛି, ଇଲେକ୍‌ଟ୍ରୋନିକ୍‌ ମିଡିଆ ବା ବୈଦ୍ୟୁତିକ ଗଣମାଧ୍ୟମ ଲକ୍ଷ୍ମଣରେଖା ଅତିକ୍ରମ କରିଯାଉଛି। ଟେଲିଭିଜନ ଜରିଆରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରାଗଲା ବେଳେ ଘଟଣା ଓ ଏହାର ପାରିପାର୍ଶ୍ୱିକ ବିଷୟ ଉପରେ ସୂଚନା ଦିଆଯିବା ପରିବର୍ତ୍ତେ ମତ ଦିଆଯାଉଛି। ଅର୍ଥାତ୍‌ ମିଡିଆ ଟ୍ରାଏଲ ବା ଗଣମାଧ୍ୟମରେ ବିଚାର କରାଯିବା ଯେଭଳି ଏକ ଧାରା ପାଲଟିଯାଇଛି। ଏସବୁକୁ ଲକ୍ଷ୍ୟ କରି ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୨୩ ଜୁଲାଇରେ ହାଇକୋର୍ଟ ବିଚାରପତି, ନ୍ୟାୟିକ ଅଧିକାରୀ ଓ ଆଇନ ଛାତ୍ରମାନଙ୍କୁ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କଲା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି. ରମନା କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଇଛି। ଅଦାଲତରେ କୌଣସି ମାମଲାର ଶୁଣାଣି ପୂର୍ବରୁ ଗଣମାଧ୍ୟମରେ ତାହାର ବିଚାର କରିଦିଆଯାଉଛି। ଫଳରେ ଅଭିଜ୍ଞ ବିଚାରପତିମାନଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ ଅସୁବିଧା ହେଉଛି ବୋଲି ରମନା କହିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍‌ ବିରୋଧୀ ଦେଇଥିବା ମତକୁ ନେଇ ସର୍ବୋଚ୍ଚ ଅଦାଲତ ଯେଉଁ ରାୟ ଦେଇଥିଲେ ତାହା ଉପରେ ଗଣମାଧ୍ୟମରେ ଜୋରଦାର ବିତର୍କ ହୋଇଥିଲା। ଏପରି କି ସୋସିଆଲ ମିଡିଆରେ ବିଚାରପତିଙ୍କ ବିରୋଧରେ ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ଦିଆଯାଇଥିଲା। ପ୍ରଧାନ ବିଚାରପତି ଏଭଳି ସ୍ଥିତିକୁ ଦେଖି କହିଛନ୍ତି, ପ୍ରିଣ୍ଟ୍‌ ବା ଛାପା ଗଣମାଧ୍ୟମର ଏକ ନିର୍ଦ୍ଦିଷ୍ଟ ଉତ୍ତରଦାୟିତ୍ୱ ଥିବା ବେଳେ ଇଲେକ୍‌ଟ୍ରୋନିକ ଗଣମାଧ୍ୟମଠାରେ ଶୂନ ଉତ୍ତରଦାୟିତ୍ୱ ଦେଖିବାକୁ ମିଳୁଛି ଏବଂ ସାମାଜିକ ଗଣମାଧ୍ୟମ ଆହୁରି ନିକୃଷ୍ଟ ସ୍ତରକୁ ଚାଲିଯାଉଛି।
ପ୍ରଧାନ ବିଚାରପତିଙ୍କ କ୍ଷୋଭ ଅନେକାଂଶରେ ଯଥାର୍ଥ ବୋଲି କୁହାଯାଇପାରେ। ତଥାପି ଆଜିର ସମୟରେ ଅନେକ ବିଚାରପତି ଭୟରେ ହେଉ ବା ଅନ୍ୟ କୌଣସି କାରଣ ଯୋଗୁ ମାମଲାର ଗତି ବଦଳାଇ ଦେଉଥିବା ଜନସାଧାରଣ ମଧ୍ୟ ଜାଣିପାରୁଛନ୍ତି। ଧରାଯାଉ କୌଣସି ଏକ ହତ୍ୟାକାଣ୍ଡକୁ ଏକ ଅଞ୍ଚଳର ଲୋକେ ସିଧାସଳଖ ଦେଖିଛନ୍ତି। ଯିଏ ଅଭିଯୁକ୍ତ ତାଙ୍କୁ ମଧ୍ୟ ସେମାନେ ଚିହ୍ନିଛନ୍ତି। ମାତ୍ର କିଛି ବର୍ଷ ପରେ ସେହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇ ଯଦି ଅଭିଯୁକ୍ତ ନିର୍ଦ୍ଦୋଷରେ ମୁକ୍ତ ହୋଇଯାଉଛନ୍ତି, ସେଭଳି ସ୍ଥଳେ ଘଟଣାକୁ ସ୍ବଚକ୍ଷୁରେ ଦେଖିଥିବା ଲୋକଙ୍କର ନ୍ୟାୟବ୍ୟବସ୍ଥା ଉପରେ କଦାପି ବିଶ୍ୱାସ ରହିବ ନାହିଁ। ବିଚାରପତିମାନେ ବିନା ଭୟ ଓ ପକ୍ଷପାତିତାରେ ରାୟ ଶୁଣାଇବା କଥା। ହେଲେ ସେମାନଙ୍କ ସଂଖ୍ୟା କ୍ୱଚିତ। ତତ୍‌ସହିତ ବିଚାରପତିମାନେ ଅତ୍ୟଧିକ ସାମାଜିକ ଚାପର ଶିକାର ହେଉଛନ୍ତି। ଅପରପକ୍ଷରେ ଗଣମାଧ୍ୟମ ମଧ୍ୟ ଲକ୍ଷ୍ମଣରେଖା ଅତିକ୍ରମ କରିବା ଉଚିତ ନୁହେଁ। ତାହା ହେଲେ ଗଣତନ୍ତ୍ର ଦୁର୍ବଳ ହୋଇଯିବା ସ୍ବାଭାବିକ। ତେବେ ସେହି ଲକ୍ଷ୍ମଣରେଖାକୁ କିଏ ଟାଣିବ। ଭାରତର ଆଇନ ବ୍ୟବସ୍ଥା କେବେ ହେଲେ ଅସହାୟ ଓ ପୀଡ଼ିତଙ୍କୁ ସାହାଯ୍ୟ କରେ ନାହିଁ। ହୁଏତ ଏହାର କାରଣ ଖୋଜିଲେ ଉପନିବେଶିକ ଶାସନରୁ ଆସିଥିବା ମାନସିକତାକୁ ଦାୟୀ କରାଯାଇପାରିବ। ସେତେବେଳେ ସମସ୍ତଙ୍କୁ ଦମନ କରି ରଖିବା ଥିଲା ମୁଖ୍ୟ କାର୍ଯ୍ୟ। ଏବେ ଦମନ ପରିବର୍ତ୍ତେ ଅସହାୟଙ୍କୁ ପାଟି ଫିଟାଇବାର ସୁରକ୍ଷା ଓ ସୁବିଧା ମିଳିବା ଉଚିତ। ଅନୁରୂପ ଆକାରରେ ଦେଖିଲେ ମିଡିଆର ମାଲିକାନା ସବୁବେଳେ କ୍ଷମତା ସହ ରହିବାକୁ ପସନ୍ଦ କରୁଛି। ତଥାପି ଛାପା ଗଣମାଧ୍ୟମର ଉତ୍ତରଦାୟିତ୍ୱ ଅନେକାଂଶରେ ବଜାୟ ରହିଛି ବୋଲି କେବଳ ଭାରତର ପ୍ରଧାନ ବିଚାରପତି ନୁହନ୍ତି, ସାଧାରଣରେ ମଧ୍ୟ ସେହି ବିଶ୍ୱାସ ରହିଛି। କିନ୍ତୁ ଟେଲିଭିଜନ ଓ ସୋସିଆଲ ମିଡିଆ ଏକ ଭିନ୍ନ ବାଟରେ ଯାଉଥିବାରୁ ସେମାନେ ସବୁ ସ୍ବାଭାବିକ ରେଖାକୁ ଉଲ୍ଲଂଘନ କରିବାରେ ଧୂରନ୍ଧର ପାଲଟିଗଲେଣି। ସରକାର ଏବଂ ଶିଳ୍ପପତିଙ୍କୁ ସମର୍ଥନ କରିବାକୁ ଯାଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ନିଜର ଭାରସାମ୍ୟ ହରାଇ ବସୁଛନ୍ତି। ଉପଗ୍ରହ ସହ ଅପ୍‌ଲିଙ୍କ୍‌ ଓ ଡାଉନ୍‌ଲିଙ୍କ୍‌ ପାଇଁ ସରକାରଙ୍କ ଉପରେ ନିର୍ଭରଶୀଳ ସବୁ ଟେଲିଭିଜନ୍‌ ଚ୍ୟାନେଲ ଏବେ ଏକଦିଗମୁହଁା ହୋଇଯାଇଥିବା ଭଳି ଦର୍ଶକଙ୍କ ମନରେ ଛାପା ପଡ଼ିଲାଣି। ଭାରତରେ ଏହା ଦେଖାଯାଉଛି ଯେ, ଟେଲିଭିଜନରେ ଅନେକ ଉପସ୍ଥାପକ ନିଜ ସଂସ୍ଥାର ସମ୍ପାଦକୀୟ ନୀତିକୁ ନେଇ କୌଣସି ବିଷୟ ଉପରେ ଆଲୋଚନା କଲା ବେଳେ କୋର୍ଟ ଭଳି ସିଧାସଳଖ ଶୁଣାଣି କରି ରାୟ ଦେଉଥିବା ଭଳି ସ୍ଥିତି ସୃଷ୍ଟି କରୁଛନ୍ତି। ଏହାର ଏକ ଜଣାଶୁଣା ଉଦାହରଣ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ଓ ତାହାକୁ ନେଇ ପରବର୍ତ୍ତୀ ସମୟରେ କରାଯାଇଥିବା ରାଜନୀତିକରଣ। ବାସ୍ତବରେ ଦେଖିଲେ ମମଲା ଅଦାଲତରେ ସବ୍‌-ଜୁଡିସ୍‌ ବା ଅର୍ଦ୍ଧନ୍ୟାୟ ଅବସ୍ଥାରେ ଥିବା ବେଳେ ତାହା ଉପରେ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ସୃଷ୍ଟି କରୁଥିବା ଚାପ ଯୋଗୁ ନ୍ୟାୟାଳୟ ମଧ୍ୟ ରାୟ ଦେବା ସକାଶେ ଏକପ୍ରକାର ବାଧ୍ୟ ହୋଇଯାଉଛନ୍ତି। ସାଧାରଣ ଲୋକଙ୍କଠାରେ ମତ ସୃଷ୍ଟି କରିବାରେ ଏହି ଗଣମାଧ୍ୟମଗୁଡ଼ିକର ମିଥ୍ୟା ସହାୟକ ହେଉଛି। ମଣିଷର ନୀଚ ପ୍ରକୃତିକୁ ଉସୁକାଇବା ଅତ୍ୟନ୍ତ ସହଜ ହୋଇଥିବାରୁ ତାହାର ସୁବିଧା ଉଠାଉଛନ୍ତି ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମରେ ଲଗାତର ଚାଲିଥିବା ଆଲୋଚନା ଓ ବିତର୍କ। ଟେଲିଭିଜନ ଷ୍ଟୁଡିଓରେ ଆଲୋଚନା ପାଇଁ ଡକାଯାଉଥିବା ବ୍ୟକ୍ତିଙ୍କୁ ପୂର୍ବରୁ ଧାରା ସମ୍ପର୍କରେ ସୂଚନା ଦିଆଯାଇ ନକଲି ଝଗଡ଼ା ବାରମ୍ବାର ରଚାଯାଏ। ଅନଭିଜ୍ଞ ଦର୍ଶକ ଏଗୁଡ଼ିକୁ ଦେଖି ଉତ୍ତ୍ୟକ୍ତ ହୁଅନ୍ତି। ଏଥିରୁ ବୃଦ୍ଧି ପାଏ ଟିଆର୍‌ପି। ସେହି ଟିଆର୍‌ପି ସଂଖ୍ୟା ବୃଦ୍ଧି ପାଇଲେ ବିଜ୍ଞାପନ ଆସିବାକୁ ଆରମ୍ଭ କରେ। ଭଲ ଟିଆର୍‌ପି ହେଲେ ରୋଜଗାର ବଢ଼ିଆ ହେବ। ଅନ୍ୟପଟେ ସୋସିଆଲ୍‌ ମିଡିଆ ବା ସାମାଜିକ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ମିଥ୍ୟା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ କେହି ପ୍ରଶ୍ନ କରିପାରନ୍ତି ନାହିଁ। ସପକ୍ଷ ଓ ବିପକ୍ଷରେ ମତ ଆସିବା ମାତ୍ରକେ ସେହି ମିଥ୍ୟା ବିବରଣୀଟି ଆଲୋଚନା ପରିସରଭୁକ୍ତ ହୋଇଯାଏ। ତାହା ହିଁ ସେମାନଙ୍କ ସଫଳତା।
ଶେଷରେ କୁହାଯାଇପାରିବ ଯେ, ଉଭୟ ଟେଲିଭିଜନ ଓ ସୋସିଆଲ୍‌ ମିଡିଆର ଅନେକ ମାରାତ୍ମକ ତ୍ରୁଟିଥିବା ସତ୍ତ୍ୱେ ଆଜିର ଯୁଗରେ ସେହି ବିକୃତ ମାନସିକତାକୁ ସାଥିରେ ନେଇ ବଞ୍ଚତ୍ବାକୁ ପଡ଼େ। ମନେରଖିବା ଦରକାର, ସମାଜରେ ଗଣମାଧ୍ୟମର ସାମାଜିକ ନ୍ୟାୟ ଓ ସନ୍ତୁଳନତା ବଜାୟ ରଖିବା ଦିଗରେ ଏକ ବିରାଟ ଭୂମିକା ରହିଛି। ଏହାକୁ ବୁଝି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେହି ଧରଣର ଦାୟିତ୍ୱବୋଧ ଦେଖାଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri