ରାଜ୍ୟର ଋଣଭାର ୯୭,୨୦୫ କୋଟି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ଋଣଭାର ଅସମ୍ଭାଳ ହେଲାଣି। ମା’ ପେଟର ଛୁଆ ଉପରେ ମୁଣ୍ଡ ପିଛା ଋଣ ୨୨ ହଜାର ଟଙ୍କା। ଗରିବଙ୍କ ସଂଖ୍ୟା ବଢ଼ିଚାଲିଛି। କିନ୍ତୁ ସରକାର ଋଣ କରି ଘିଅ ପିଇବା ନୀତି ଧରିଛନ୍ତି। ରାଜ୍ୟର ଋଣଭାରକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ଏହିଭଳି ସରକାରଙ୍କୁ ସଣ୍ଡୁଆଶି ଆକ୍ରମଣ କରିଛନ୍ତି।
ମଙ୍ଗଳବାର ‘ଋଣ ଭାରରେ ବୁଡ଼ିଛି ଓଡ଼ିଶା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଘେରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଅଫିସରମାନେ ଯାହା ଧରାଇ ଦେଉଛନ୍ତି ମନ୍ତ୍ରୀ ବିଧାନସଭାରେ ତାହା ପଢ଼ି ଦେଉଛନ୍ତି। ରାଜ୍ୟ ଗରିବ ହୋଇଚାଲିଛି। ବଜେଟର ୭୦% ଖର୍ଚ୍ଚ ନ ହୋଇ ପଡ଼ିରହୁଛି। ୨୦୦୪ରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀ ରାଉରକେଲା-ସମ୍ବଲପୁର ରାସ୍ତା ବାବଦରେ ୨୦ କୋଟି ଟଙ୍କା ପାଇବାକୁ ଥିବାବେଳେ ନ ଦିଆଯିବାରୁ ୧୨୦ କୋଟି ଟଙ୍କା ଏବେ ସରକାର ଗଣିବେ। ଏହି ଟଙ୍କା ଏବେ ସରକାର ଋଣ କରି ଦେବେ। ନୀତି ଆୟୋଗ ଆକଳନ ଅନୁଯାୟୀ ରାଜ୍ୟ ଏବେ ୧୬ତମ ସ୍ଥାନରେ ରହିଛି। ଚଳିତ ବର୍ଷ ରାଜ୍ୟ ସରକାର ଖୋଲା ବଜାରରୁ ୩ ହଜାର କୋଟି ଟଙ୍କା, ଜାତୀୟ କୃଷି ବ୍ୟାଙ୍କରୁ ୩,୩୪୧ କୋଟି ଟଙ୍କା ଋଣ କରିବେ। ଚଳିତ ବର୍ଷ ୧୨,୫୫୧ କୋଟି ଟଙ୍କାର ଋଣ ଆଣି ସାରିଲେଣି ବୋଲି ସାଲୁଜା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ୨୦୧୯-୨୦ରେ ରାଜ୍ୟର ମୁଣ୍ଡ ପିଛା ଋଣ ୪,୯୧୮ ଥିବାବେଳେ ୨୦୨୨ରେ ଏହା ୨୨,୦୦୦ ଟଙ୍କାରେ ପହଞ୍ଚିଲାଣି। ଖଣି କ୍ଷେତ୍ରରୁ ସେତେବେଳେ ୨ ହଜାର କୋଟି ଟଙ୍କା ରାଜସ୍ବ ମିଳୁଥିବା ବେଳେ ଏବେ ୫୪ ହଜାର କୋଟି ଟଙ୍କା ରାଜସ୍ବ ମିଳୁଛି। ତଥାପି ସରକାରଙ୍କୁ ନିଅଣ୍ଟ ହେଉଛି। ଋଣ ଉପରେ ଋଣ କରି ଚାଲିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ଋଣ ଭାର ୩୭୫% ବଢ଼ିଛି ବୋଲି ସେ କହିଛନ୍ତି।
ଭାଜପା ସଭ୍ୟ ମୋହନ ମାଝି କହିଛନ୍ତି ଯେ, ମୁଣ୍ଡ ପିଛା ଋଣ ବଢ଼ି ବଢ଼ି ୨୩ ହଜାର ଟଙ୍କାରେ ପହଞ୍ଚିଲାଣି। ଚଳିତ ବର୍ଷ ରାଜ୍ୟର ଋଣ ଭାର ୧ ଲକ୍ଷ ୧୨ ହଜାର ୪୦୧ କୋଟି ଓ ଆଗାମୀ ବର୍ଷ ଏହା ୧ ଲକ୍ଷ ୩୪ ହଜାର ୭୫୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୨୦୨୫-୨୬ ବେଳକୁ ଏହା ୧ ଲକ୍ଷ ୮୭ ହଜାର ୨୩୬ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି। ଆଲୋଚନାରେ ଭାଗ ନେଇ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ବିଜେଡି ସଭ୍ୟ ଶଶିଭୂଷଣ ବେହେରା ମୁଲତବୀ ପ୍ରସ୍ତାବକୁ ବିରୋଧ କରି କହିଥିଲେ, ସରକାର ଋଣ କରି ଘିଅ ପିଉନାହାନ୍ତି। ରାଜ୍ୟର ବିକାଶ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ କରାଯାଉଛି। ୨୦୦୦ ମସିହାରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ଲାଗି ଓଭର ଡ୍ରାଫ୍ଟ କରିବାକୁ ପଡ଼ୁଥିଲା। ଏବେ ସେ ସ୍ଥିତି ଆଉ ନାହିଁ। କେନ୍ଦ୍ର ସରକାର ୮ଟି କେନ୍ଦ୍ରୀୟ ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ଅନ୍ୟ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶକୁ ୬୦:୪୦କୁ ଖସାଇ ଦିଆଯାଇଛି। ଏଥିଲାଗି ରାଜ୍ୟ ଉପରେ ଅଧିକ ଚାପ ପଡ଼ୁଛି ବୋଲି ବେହେରା କହିଥିଲେ। ବିଜେଡି ସଭ୍ୟ ସୁବାସ ବେହେରା ଓ ରମେଶ ବେହେରା ରାଜ୍ୟର ବିକାଶ ପାଇଁ ଋଣ କରିବାକୁ ପଡ଼େ ବୋଲି କହିଥିଲେ।
ମୁଲତବୀ ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଭାରତବର୍ଷରେ ବିହାରକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟ ତୁଳନାରେ ଆମର ସ୍ଥିତି ଭଲ ଅଛି। ପଡ଼ୋଶୀ ଛତିଶଗଡ଼ର ମୁଣ୍ଡ ପିଛା ଋଣ ୩୮ହଜାର ୭୩୧ ଥିବାବେଳେ ପଶ୍ଚିମବଙ୍ଗର ୫୭ ହଜାର ୩୪୫, ପଞ୍ଜାବର ୯୩ ହଜାର ୨୩୫ ଟଙ୍କା ରହିଛି। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ (ଏଫ୍‌ଆର୍‌ବିଏମ୍‌) ଆଇନ ଅନୁଯାୟୀ ଜିଏସ୍‌ଡିିପିର ୨୫% ମଧ୍ୟରେ ଋଣ ଭାର ରହିବା ଆବଶ୍ୟକ। ରାଜ୍ୟରେ ସୁଧ ଦେୟ ଓ ରାଜସ୍ବ ଆଦାୟ ଅନୁପାତ ୧୫% ମଧ୍ୟରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତିକା ‘ଷ୍ଟେଟ୍‌ ଫାଇନାନ୍ସସେସ-ଏ ଷ୍ଟଡି ଅଫ୍‌ ବଜେଟସ୍‌ ୨୦୨୧-୨୨’ ଅନୁଯାୟୀ ସମସ୍ତ ରାଜ୍ୟର ମୁଣ୍ଡ ପିଛା ଋଣ ୫୧ ହଜାର ୩୧ ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ମୁଣ୍ଡ ପିଛା ଋଣ ଭାର ୯୯ ହଜାର ୮୧୬ ଟଙ୍କା ରହିଛି। ଋଣ କରିବାରେ ଓଡ଼ିଶା ଦ୍ୱିତୀୟ ସର୍ବନିମ୍ନ ରାଜ୍ୟ । ୧୯୯୯-୨୦୦୦ରେ ରାଜ୍ୟର ଋଣ ଭାର ୧୮ ହଜାର ୧୦୦ କୋଟି ଟଙ୍କା ଓ ମୁଣ୍ଡ ପିଛା ଋଣ ୪,୯୧୮ ଟଙ୍କା ଥିଲା। ରାଜ୍ୟରେ ୨୦୨୦-୨୧ରେ ଋଣ ଭାର ୧ ଲକ୍ଷ ୨୭ ହଜାର କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଋଣ ଭାର ୯୭ ହଜାର ୨୦୫ କୋଟି ଟଙ୍କାକୁ ହ୍ରାସ ପାଇଛି। ମୁଣ୍ଡ ପିଛା ଋଣ ଭାର ୨୨,୦୪୨ ଟଙ୍କା ରହିଛି। ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଋଣ ୪,୯୧୮ ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଆୟ ୧୩,୦୧୨ ଟଙ୍କା ଥିଲା। ତେବେ ୨୦୨୧-୨୨ରେ ରାଜ୍ୟର ମୁଣ୍ଡ ପିଛା ଋଣ ୨୨,୦୪୨ ଟଙ୍କା ଥିବା ବେଳେ ରାଜ୍ୟର ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କାରେ ପହଞ୍ଚିଛି। ତେବେ ଓମ୍ବାଡସି, କାମ୍ପା ଏବଂ ଖୋଲା ବଜାରରୁ ୩ ପ୍ରତିଶତ ସୁଧରେ ଋଣ କରାଯାଉଛି। ନାବାର୍ଡଠାରୁ କମ୍‌ ସୁଧରେ ଋଣ କରି ଗ୍ରାମୀଣ ପ୍ରକଳ୍ପ ନିର୍ମାଣ କରାଯାଉଛି, ବାହ୍ୟ ଋଣକୁ ମୋଟ ଋଣର ୭ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଉଛି। ତେଣୁ ରାଜ୍ୟର ଋଣକୁ ନେଇ ବିରୋଧୀ ସଦସ୍ୟମାନେ କୌଣସି ଆଶଙ୍କା କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ଏବଂ କଂଗ୍ରେସର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri