ତୀର୍ଥଯାତ୍ରାରେ ଗଲେ ୯୭୦ ବରିଷ୍ଠ ନାଗରିକ

ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ୮ ଜିଲାରୁ ମୋଟ ୯୭୦ ଜ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ସମ୍ବଲପୁରରୁ ସୋମବାର ଆଜମେର-ପୁଷ୍କର ଅଭିମୁଖେ ବାହାରିଛି ତୃତୀୟ ପର୍ଯ୍ୟାୟ ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍‌। ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୋଳ ଜିଲାର ମହିଳା ଓ ପୁରୁଷ ବରିଷ୍ଠ ନାଗରିକଙ୍କୁ ନେଇ ସମ୍ବଲପୁର ରେଳଷ୍ଟେଶନରୁ ବାହାରିଥିବା ଏହି ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।

ରେଳ ଷ୍ଟେଶନରେ ବାଣିଜ୍ୟ ଓର ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ତୀର୍ଥସ୍ଥାନ ପରିଭ୍ରମଣର ଦିବ୍ୟ ଅନୁଭୂତି ଲାଭ ପାଇଁ ଶୁଭକାମନା ଜଣାଇଥିଲେ। ଏହି ଯାତ୍ରା ସମୟରେ ରେଳ ଷ୍ଟେଶନରେ ସମ୍ବଲପୁରୀ ନୃତ୍ୟ, ଘଣ୍ଟ, ଶଙ୍ଖ, ଦୁଲଦୁଲି ବାଜା ସହ ହୁଳହୁଳି ଓ ହରିବୋଲ ଧ୍ୱନିର ଏେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ସମ୍ବଲପୁର ଜିଲାରୁ ୧୧୨, ସୁବର୍ଣ୍ଣପୁର ୬୫, ବରଗଡ଼ ୧୫୯, ବଲଙ୍ଗୀର ୧୭୭, ଝାରସୁଗୁଡ଼ା ୬୨, ସୁନ୍ଦରଗଡ଼୨୨୫, ଦେବଗଡ଼ ୩୩ ଓ ଅନୁଗୋଳ ଜିଲାରୁ ୧୩୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ କରିଛନ୍ତି। ଆସନ୍ତା ୨୪ ତାରିଖରେ ତୀର୍ଥଯାତ୍ରୀ ଦଳ ସମ୍ବଲପୁର ଫେରି ଆସିବା କାର୍ଯ୍ୟକ୍ରମ ରହିଛି। ୫ ରାତି ଓ ୬ ଦିନର ଏହି ତୀର୍ଥଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ନିଃଶୁଳ୍କ ଯାତ୍ରା ସହ ସେମାନଙ୍କ ରହଣି, ଖାଇବା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ ଦିଗରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇଛି। ତୀର୍ଥଯାତ୍ରୀଙ୍କ ଯତ୍ନ ପାଇଁ ୩୦ ଜଣ ଏସ୍କଟ ଅଧିକାରୀ ସହଯାତ୍ରୀ ଭାବେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି। ଆଇଆର୍‌ସିଟିସି ପକ୍ଷରୁ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭର୍ତ୍ତି ଗୋଟିଏ ଲେଖାଏ କିଟ୍‌ ବ୍ୟାଗ୍‌ ପ୍ରଦାନ କରାଯାଇଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ପରାମର୍ଶଦାତା ଦୁର୍ଗା ପ୍ରସାଦ ସାମନ୍ତରାୟ, ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ଗଡ଼ନାୟକ ଓ ଅଜାମ୍ବର ମହାନ୍ତି, ସଦର ତହସିଲଦାର ମନୋଜ କୁମାର କୁଜୁର, ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଉପଦେଷ୍ଟା ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।