ପେଣୁକୋଣ୍ଡା,୨୧।୪: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ କହିଛି ଯେ ରବିବାର ପେନୁକୋଣ୍ଡା କୋର୍ଟ ଅଭିଯୁକ୍ତକୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। କାର ଇଞ୍ଜିନ ଚୋରି ମାମଲାରେ ପୋଲିସ ତଦନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ତଦନ୍ତ ସମ୍ପୂର୍ଣ୍ଣ ହୋଇଛି। ଏଥିରେ କିଏ ସମ୍ପୃକ୍ତ ତାହା ତଦନ୍ତ କରାଯାଉଛି।
ପୋଲିସ କହିଛି ଯେ କାରର ଇଞ୍ଜିନ ଗତ ପାଞ୍ଚ ବର୍ଷ ଧରି ଚୋରି ହୋଇ ଆସୁଥିଲା। ଚୋରି ହୋଇଥିବା ଇଞ୍ଜିନଗୁଡ଼ିକୁ ଭାରତର ବିଭିନ୍ନ ରାଜ୍ୟରେ ଚୋରା ଚାଲାଣ ଏବଂ ବିକ୍ରି କରାଯାଇଥିଲା। ଏହା ସୂଚାଇ ଦେଉଛି ଯେ ଏକ ବଡ଼ ଅବୈଧ ନେଟୱାର୍କ କାର୍ଯ୍ୟ କରୁଛି। ଗତ ମାସରେ ଏକ ଆଭ୍ୟନ୍ତରୀଣ ଅଡିଟ ସମୟରେ, KIA ଅଧିକାରୀମାନେ ଲକ୍ଷ୍ୟ କରିଥିଲେ ଯେ କାରଗୁଡ଼ିକର ଇଞ୍ଜିନ ନାହିଁ।
କମ୍ପାନୀ ମାର୍ଚ୍ଚ ୧୯ରେ ପୋଲିସରେ ଅଭିଯୋଗ କରିଥିଲା। ଶ୍ରୀ ସତ୍ୟସାଇ ଜିଲାର ପେନୁକୋଣ୍ଡାରେ KIA କମ୍ପାନୀର ଏକ କାର୍ ନିର୍ମାଣ କାରଖାନା ଅଛି। ପୂର୍ବରୁ, ପୋଲିସ ଅଧିକାରୀ ଭେଙ୍କଟେଶ୍ୱରଲୁ କହିଥିଲେ ଯେ ୨୦୨୦ମସିହାରୁ ଇଞ୍ଜିନଗୁଡ଼ିକ ଚୋରି ହେଉଛି। ଇଞ୍ଜିନଗୁଡ଼ିକ ପ୍ଲାଣ୍ଟ ଭିତରୁ କିମ୍ବା ସେଠାକୁ ଯିବା ବାଟରେ ଚୋରି ହୋଇଥିବ, କାରଣ କମ୍ପାନୀର ଅନୁମତି ବିନା ଏହାର ଏକ ଛୋଟ ଅଂଶ ମଧ୍ୟ ବାହାରକୁ ଯାଇପାରିବ ନାହିଁ।


