ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ

ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରାବାସର ୯ଛାତ୍ର ରହିଛନ୍ତି। ପ୍ରଶାସନ ପକ୍ଷରୁ ଛାତ୍ରାବାସକୁ ସାନିଟାଇଜ୍‌ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ସଂକ୍ରମିତ ୯ ଛାତ୍ରଙ୍କୁ ଉମରକୋଟ ହାଇସ୍କୁଲ ରୋଡ୍‌ସ୍ଥିତ ଅନ୍ବେଷା ଛାତ୍ରାବାସରେ ସଙ୍ଗରୋଧରେ ରଖାଯାଇଥିବା ବେଳେ ଅନ୍ୟ ଛାତ୍ରମାନଙ୍କୁ ଡୋଙ୍ଗ୍ରିଗୁଡ଼ା ଛାତ୍ରାବାସରେ ଅବ୍‌ଜରଭେସନରେ ରଖାଯାଇଛି। ଦୁଇ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, ଡୋଙ୍ଗ୍ରିଗୁଡ଼ା ଛାତ୍ରାବାସରେ ୭୮ ଜଣ ଛାତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହୋଲି ଛୁଟିରୁ ଫେରିବା ପରେ ଜଣଙ୍କୁ ଜ୍ୱର ହୋଇଥିଲା। ସ୍ବାବ ପରୀକ୍ଷାରେ ତାଙ୍କର ପଜିଟିଭ ଆସିଥିଲା। ପରେ ଅନ୍ୟ ଛାତ୍ରମାନଙ୍କ ପରୀକ୍ଷା କରାଯାଇଥିଲା।