ସ୍କାନରରେ ୯ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୮ା୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ବୁଧବାର ଦ୍ୱିତୀୟ ଦିନରେ ସିବିଆଇ ସହିତ ଫୋରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନ ନିକଟ ଲେଭଲକ୍ରସିଂ, ଦୁର୍ଘଟଣାସ୍ଥଳ, ରେଳଷ୍ଟେଶନରେ ପହଞ୍ଚିଥିଲେ। ଅଧିକାରୀମାନେ ଷ୍ଟେଶନର ରିଲେ ରୁମ୍‌କୁ ସିଲ୍‌ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ୯ଜଣ କର୍ମଚାରୀଙ୍କୁ ସ୍କାନରରେ ରଖି ସିବିଆଇ ପଚରାଉଚରା କରିଛି। ସେହିପରି ବାହାନଗା ଷ୍ଟେଶନରେ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ଅଧିକାରୀ ଓ କର୍ମଚାରୀଙ୍କର ମୋବାଇଲ୍‌ ସିଜ୍‌ କରିଛି ସିବିଆଇ। ଅନ୍ୟପକ୍ଷରେ ସାଇଣ୍ଟିଫିକ୍‌ ଟିମ୍‌ ଦୁର୍ଘଟଣାସ୍ଥଳରୁ ମିଳିଥିବା ବିଭିନ୍ନ ପ୍ରମାଣ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିବା ଜଣାପଡ଼ିଛି।
ମଙ୍ଗଳବାର ମଧ୍ୟ ଅଢ଼େଇ ଘଣ୍ଟା ଧରି ସିବିଆଇ ଅଧିକାରୀମାନେ ରେଳ ଦୁର୍ଘଟଣା ସମୟରେ ଦାୟିତ୍ୱରେ ଥିବା ଷ୍ଟେଶନ ମାଷ୍ଟର, ଏସ୍‌ଏସ୍‌ଇ, ଏସ୍‌ଆଣ୍ଡଟି, ୨ଜଣ ଟେକ୍ନିକାଲ ପର୍ସନ, ୨ଜଣ ହେଲପର, ଗେଟ୍‌ମ୍ୟାନ୍‌, ପଏଣ୍ଟ ମ୍ୟାନଙ୍କୁ ପଚରାଉଚରା କରିଥିଲେ। ସିବିଆଇ ଅଧିକାରୀ ପ୍ୟାନେଲ୍‌ ବୋର୍ଡ ଓ ରିଲେ ରୁମ୍‌ରେ ଦୀର୍ଘ ସମୟ ଧରି ତନାଘନା କରିଥିଲେ। ସିବିଆଇର ୫ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ଇଣ୍ଟରଲକିଂ ପଏଣ୍ଟ ତନଖି କରିଥିଲା। ଲୁପ୍‌ ଲାଇନ, ମେନ୍‌ ଲାଇନ୍‌ ଭିତରେ କେତେ ଦୂର ଥାଏ ଓ ଟ୍ରାକ୍‌ ଚେଞ୍ଜ୍‌ କିପରି ହୁଏ ଏସବୁ ଦେଖିଥିଲା। ସେଠାରୁ ସିଧା ସିଲ୍‌ ହୋଇଥିବା ଦକ୍ଷିଣ କ୍ୟାବିନ୍‌କୁ ଯାଇଥିଲା ସିବିଆଇ ଟିମ୍‌। ସେହିପରି ପୂରା ଟିମ୍‌ ନିର୍ମାଣାଧୀନ ରେଳଲାଇନରେ ଚାଲି ଚାଲି ଷ୍ଟେଶନ ମ୍ୟାନେଜର ରୁମ୍‌ରେ ଥିବା ପ୍ୟାନେଲ ବୋର୍ଡ ରୁମ୍‌ରେ ପହଞ୍ଚିଥିଲା। ଷ୍ଟେଶନ ମାଷ୍ଟରଙ୍କୁ ରେଲୱେ ସେଫ୍ଟି କମିଶନର ପଚରାଉଚରା କରୁଥିବା ଯୋଗୁ ସିନିୟର୍‌ ଷ୍ଟେଶନ ମ୍ୟାଜେନରଙ୍କୁ ସିବିଆଇ ଜେରା କରିଛି। ସେହିପରି ସିଗନାଲ ରୁମ୍‌ରେ ପ୍ରାୟ ୧୫ରୁ ୨୦ ମିନିଟ ଛାନଭିନ କରିଥିଲା ସିବିଆଇ ଟିମ୍‌। ଅନ୍ୟପଟେ ପୁନରୁଦ୍ଧାର କାର୍ଯ୍ୟ ବୁଧବାର ସୁଦ୍ଧା ଶେଷ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଖୁବ୍‌ଶୀଘ୍ର ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ସ୍ବାଭାବିକ ହେବା ନେଇ ଆଶା କରାଯାଉଛି।