ଚିଲିକା ବିଧାୟକଙ୍କୁ ଆକ୍ରମଣ ଘଟଣା: ୯ ଗିରଫ

ଖୋର୍ଦ୍ଧା ଅଫିସ,୨୮।୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି ।
ଏହି ଘଟଣାରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଲୋକଙ୍କ ମାଡ଼ରେ ବିଧାୟକ ପ୍ରଶାନ୍ତ ଜଗ୍‌ଦ୍ଦେବ ରକ୍ତାକ୍ତ ହୋଇପଡ଼ିଥିଲେ।
ପରେ ବିଧାୟକଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଏସ୍‌ଡିପିଓଙ୍କ ନେତୃତ୍ୱରେ ସୋମବାର ଗିରଫ କରାଯାଇଛି। ସ୍ବତନ୍ତ୍ର ସ୍କ୍ବାଡ ଟିମ୍‌ ନୀଳାଦ୍ରିପ୍ରସାଦସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ସେମାନଙ୍କୁ ଗିରଫ କରି ବାଣପୁର କୋର୍ଟଚାଲାଣ କରିଛି । ଏନେଇ ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।