ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ପ୍ରମୁଖ ସଂଗଠନ ‘ରିଟାୟର୍ଡ ଏମ୍ପ୍ଲଇଜ ୱେଲଫେୟାର ଆସୋସିଏସନ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆଶଙ୍କା ପ୍ରକାଶ କରିଛି ଯେ, ପୁରୁଣା ପେନସନ ଯୋଜନା (OPS) ଅଧୀନରେ ଆସୁଥିବା ପୁରୁଣା ପେନସନଭୋଗୀମାନଙ୍କୁ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ପେନସନ ସଂଶୋଧନର ସମ୍ପୂର୍ଣ୍ଣ ଲାଭ ମିଳିବ କି ନାହିଁ?
ଆସୋସିଏସନର କହିବା କଥା ହେଉଛି, ଦେଶର ପ୍ରାୟ ୬୯ ଲକ୍ଷ ପେନସନଭୋଗୀ ଏବଂ ପାରିବାରିକ ପେନସନଭୋଗୀ (Family Pensioners) ସେମାନଙ୍କ ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ହେବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ସଂଗଠନ ବେତନ ଆୟୋଗର ‘ଟର୍ମସ ଅଫ ରେଫରେନ୍ସ’ (ToR) ର ଧାରା ୨(e) ର ଭାଷା ଉପରେ ଆପତ୍ତି ଉଠାଇଛି। ସେମାନଙ୍କ ଯୁକ୍ତି ଅନୁଯାୟୀ, ବର୍ତ୍ତମାନର ଚିଠାରେ ପେନସନ, ଏନପିଏସ (NPS) ଏବଂ ୟୁପିଏସ (UPS) ର ଉଲ୍ଲେଖ ତ ରହିଛି, ମାତ୍ର ୧ ଜାନୁଆରୀ ୨୦୨୬ ପୂର୍ୱରୁ ଅବସର ନେଇଥିବା ପୁରୁଣା କର୍ମଚାରୀ ଏବଂ ପାରିବାରିକ ପେନସନଭୋଗୀଙ୍କ ପେନସନ ସଂଶୋଧନ ସମ୍ପର୍କରେ ୭ମ ବେତନ ଆୟୋଗ ଭଳି ସ୍ପଷ୍ଟ ଭାବରେ ଉଲ୍ଲେଖ ନାହିଁ। ଏହି କାରଣରୁ ସଂଗଠନ ଆୟୋଗର ନିୟମରେ ଆନୁଷ୍ଠାନିକ ସଂଶୋଧନ କିମ୍ୱା ଏକ ସରକାରୀ ବିବୃତ୍ତି ଜାରି କରିବାକୁ ଦାବି କରିଛି।
ଆୟୋଗ ଦ୍ୱାରା ଜାରି ନୋଟିସ ଅନୁଯାୟୀ, ଯେଉଁ ସଂଗଠନ, ଅନୁଷ୍ଠାନ କିମ୍ୱା କର୍ମଚାରୀ ୟୁନିଅନ ବେଙ୍ଗାଲୁରୁରେ ଆୟୋଗ ସହିତ ଆଲୋଚନା କିମ୍ୱା ବୈଠକ କରିବାକୁ ଚାହାଁନ୍ତି, ସେମାନଙ୍କୁ ଏଥିପାଇଁ ପୂର୍ୱରୁ ଆପଏଣ୍ଟମେଣ୍ଟ (ସମୟ) ନେବାକୁ ପଡ଼ିବ। ଏଥିପାଇଁ ଏକ ଅନଲାଇନ ଲିଙ୍କ ଜାରି କରାଯାଇଛି। ଆପଏଣ୍ଟମେଣ୍ଟ ଅନୁରୋଧ ପଠାଇବାର ଶେଷ ତାରିଖ ୧୮ ସେପ୍ଟେମ୍ୱର ୨୦୨୬ ଧାର୍ଯ୍ୟ କରାଯାଇଛି। ନୋଟିସରେ ସ୍ପଷ୍ଟ କରାଯାଇଛି ଯେ, ଆପଏଣ୍ଟମେଣ୍ଟ ଅନୁରୋଧ ଦାଖଲ କରିବା ସମୟରେ ସଂଗଠନଗୁଡ଼ିକୁ ନିଜର ‘ୟୁନିକ ମେମୋ ଆଇଡି’ (Unique Memo ID) ଦର୍ଜ କରିବା ବାଧ୍ୟତାମୂଳକ। ଏହି ଆଇଡି ସ୍ମାରକପତ୍ର (Memorandum) ଦାଖଲ କରିବା ପରେ ଉତ୍ପନ୍ନ (Generate) ହୋଇଥାଏ। ଆୟୋଗର ନିର୍ଦ୍ଦେଶକ ଆଶିଷ ଯାଦବଙ୍କ ପକ୍ଷରୁ ଜାରି ଏହି ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ, ବୈଠକର ସ୍ଥାନ ଏବଂ ବିସ୍ତୃତ ସମୟସୂଚୀ ପରେ ସୱତନ୍ତ୍ର ଭାବେ ଜଣାଇ ଦିଆଯିବ।