କରୋନାକୁ ହରାଇଲେ ୮୭ ବର୍ଷୀୟ କୃପାସିନ୍ଧୁ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ): କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷୀୟ କୃପାସିନ୍ଧୁ ସାହୁ। ସେ ଭୁବନେଶ୍ୱରସ୍ଥିତ ସମ୍‌ କୋଭିଡ ହସ୍ପିଟାଲ୍‌ ଓ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବରିଷ୍ଠ ନାଗରିକ ସଂଘର ସଭାପତି ଥିବା କୃପାସିନ୍ଧୁ କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ।  ଗୁରୁତର ଅବସ୍ଥାରେ ସେ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସହ ତାଙ୍କ ଛାତିରେ ମଧ୍ୟ ସଂକ୍ରମଣ ଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଚିକିତ୍ସା ଓ ଯତ୍ନ ଫଳରେ ୭ ଦିନ ମଧ୍ୟରେ ସେ କରୋନାମୁକ୍ତ ହୋଇଥିଲେ। ଏହାପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟଜନିତ ଅନ୍ୟାନ୍ୟ କିଛି ସମସ୍ୟା ରହିଥିଲା। ତେଣୁ ତାଙ୍କ ଛାତିରେ ଥିବା ସଂକ୍ରମଣ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟାରୁ ଆରୋଗ୍ୟ ହେବା ପାଇଁ ତାଙ୍କୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। କ୍ରିଟିକାଲ୍‌ କେୟାର ବିଭାଗ, ହୃଦ୍‌ରୋଗ ବିଭାଗ ଏବଂ ଆଇସିୟୁର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ସଙ୍କର ଯତ୍ନ ଓ ଉତ୍ତମ ଚିକିତ୍ସା ଫଳରେ ସେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିଥିବା ସେ କହିଛନ୍ତି।