୮୩୧ ଭୋଟରଙ୍କୁ ପସନ୍ଦ ଆସିଲେନି କେହି

ପୁରୀ ଅଫିସ,୪।୧୦: ପିପିଲି ଉପନିର୍ବାଚନରେ ୧ ଲକ୍ଷ ୮୦ ହଜାର ୯୯ ଜଣ ଭୋଟର ମତଦାନ କରିଛନ୍ତି। ତନ୍ମଧ୍ୟରୁ ବିଜେଡିକୁ ୯୬ ହଜାର ୯୭୨ ଓ ଭାଜପାକୁ ୭୬ ହଜାର ୫୬ ଖଣ୍ଡ ଭୋଟ ମିଳିଛି। ତେବେ ଚଳିତ ନିର୍ବାଚନରେ ନୋଟାରେ ମତଦାନ କରିଥିବା ଭୋଟରଙ୍କ ସଂଖ୍ୟା ଆଖିଦୃଶିଆ ରହିଛି। ନୋଟାକୁ ଯଦି ଜଣେ ପ୍ରାର୍ଥୀ ଭାବେ ଦେଖାଯାଇଥାଆନ୍ତା ତେବେ ଏହା ୫ମ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀ ଭାବେ ଗଣା ହୋଇଥାଆନ୍ତା। ଚଳିତ ପିପିଲି ଉପନିର୍ବାଚନରେ ନୋଟା ବାବଦକୁ ୮୩୧ ଖଣ୍ଡ ଭୋଟ ପଡ଼ିଛି। ବିଜେଡି, ଭାଜପା, କଂଗ୍ରେସ ଓ ବାମଦଳ ପରେ ନୋଟା ୫ମ ସ୍ଥାନରେ ରହିଛି। ସାଧାରଣତଃ ନୋଟା ପ୍ରତି ଶିକ୍ଷିତ ଯୁବଗୋଷ୍ଠୀଙ୍କ ଆଗ୍ରହ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ନିର୍ବାଚନରେ ପ୍ରାର୍ଥୀମାନଙ୍କ ମଧ୍ୟରୁ କାହାରିଙ୍କୁ ଯୋଗ୍ୟ ମନେ କରୁ ନ ଥିଲେ ଭୋଟର ନୋଟା ଭଳି ବିକଳ୍ପ ବାଛିଥାଆନ୍ତି।