ମୃତ୍ୟୁଶଯ୍ୟାରେ ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା, ପାଞ୍ଚ ମାସ ହେଲା ମିଳୁନି ଭତ୍ତା

ଗଞ୍ଜାମ,୧୮/୧୧ (ବିଦ୍ୟାଧର ସାହୁ): ଗରିବ ଓ ଅସହାୟ ଜନସାଧାରଣଙ୍କ ହିତ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଅନ୍ୟତମ। ବାର୍ଦ୍ଧକ୍ୟ ଅବସ୍ଥାରେ ବୟସ୍କ ବ୍ୟକ୍ତିମାନଙ୍କ ଔଷଧପତ୍ର ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣରେ ସହାୟତା କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଉଛି। ମାତ୍ର ଏହି ଯୋଜନାରୁ ଲାଭ ପାଉଥିବା ହିତାଧିକାରୀମାନେ ଯଦି ଦୀର୍ଘଦିନ ଧରି ଭତ୍ତାରୁ ବଞ୍ଚିତ ହୁଅନ୍ତି, ତେବେ ସେମାନଙ୍କ ଦୁର୍ଦ୍ଦଶା କେତେ ଯେ ବଢ଼ିଯାଏ, ତାହାର ଏକ ଉଦାହରଣ ହେଉଛନ୍ତି ଗଞ୍ଜାମ ସହରର ସାନବଜାର ଅଞ୍ଚଳର ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା।

ଗଞ୍ଜାମ ଏନ୍‌ଏସିର ୫ ନମ୍ବର ୱାର୍ଡ ଅନ୍ତର୍ଗତ ସାନବଜାର ଅଞ୍ଚଳର ବାସିନ୍ଦା ନୀଳା ବେହେରା ଗତ ପାଞ୍ଚ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି। ବର୍ତ୍ତମାନ ସେ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି। ପୂର୍ବରୁ ମିଳୁଥିବା ୩ ହଜାର ୫୦୦ ଟଙ୍କା ଭତ୍ତାରେ ସେ ନିଜର ଔଷଧପତ୍ର କିଣିବା ସହ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ତୁଲାଉଥିଲେ। ମାତ୍ର ଗତ ପାଞ୍ଚ ମାସ ହେଲା ଭତ୍ତା ଟଙ୍କା ମିଳୁନଥିବାରୁ ସେ ଚିନ୍ତିତ ହୋଇପଡ଼ିଛନ୍ତି। ଭତ୍ତା ଟଙ୍କା କେବେ ମିଳିବ, ସେହି ଚିନ୍ତାରେ ସବୁବେଳେ ଆଖିରୁ ଲୁହ ଗଡ଼ାଉଛନ୍ତି। ତାଙ୍କୁ ଦେଖା କରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭତ୍ତା ଟଙ୍କା ମିଳିବାର ବ୍ୟବସ୍ଥା କରିଦେବାକୁ ସେ କାକୁତିମିନତି ହୋଇ ନିବେଦନ କରୁଛନ୍ତି।

ସେହିପରି ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବୃଦ୍ଧା କନ୍ଧୁଣି ଗୌଡ଼ (୬୯) ମଧ୍ୟ ଦୀର୍ଘ ପାଞ୍ଚ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ପୂର୍ବରୁ ନିୟମିତ ଭତ୍ତା ପାଉଥିବା ବେଳେ ଏବେ କେଉଁ କାରଣରୁ ଭତ୍ତା ବନ୍ଦ ହୋଇଛି, ତାହା ଜାଣିପାରୁନାହାନ୍ତି।

ଏଭଳି ଅବସ୍ଥାରେ ଅସହାୟ ବୃଦ୍ଧାମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଜିଲ୍ଲାର ଉଚ୍ଚ ପ୍ରଶାସନ ହସ୍ତକ୍ଷେପ କରିବାକୁ ଯୁବ ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share