କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୮୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ଶିବିରରେ ସିଡିଓ-କମ୍-ଇଓ ସୌମ୍ୟରଞ୍ଜନ ପ୍ରଧାନ, କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର, ଡିଏସଡବ୍ଲ୍ୟୁଓ ମୁଜିବୁନ ନିଶା, ମୁଖ୍ୟ ଜିଲା କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର, ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବିଡିଓ ସୁଚରିତା ମୁଗ୍ରୀ ଓ ତହସିଲଦାର ଅରୁଣ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସିଡିପିଓ କଳ୍ପଲତା ତ୍ରିପାଠୀ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କେଦାରନାଥ ଖମାରୀ, ବନପାଳ ସମ୍ପଦ କୁମାରଙ୍କ ସମେତ ଜିଲା ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ଜନଶୁଣାଣିରେ ଦେଓଗାଁର ଚାଷୀମାନେ ବିଦ୍ୟୁତ୍ କାଟ ଯୋଗୁଁ ଉଠା ଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବା ଏବଂ ଧାନ ଚାଷ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଥିଲେ। ସେହିପରି ରେଗଡ଼ା ଗାଁର ଗୋଚର ଜମି ଚିହ୍ନଟ ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପରେ ରାଜସ୍ୱ ବିଭାଗ ପକ୍ଷରୁ ମାତ୍ର ୪୦ ପ୍ରତିଶତ ଜମି ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୬୦ ପ୍ରତିଶତ ଗୋଚର ଜମି ଚିହ୍ନଟରେ ବିଳମ୍ବ ହେଉଥିବା ନେଇ ନବୀନ ଚୌଧୁରୀ ଲିଖିତ ଅଭିଯୋଗ କରିଥିଲେ।

ଏଥିସହ ବ୍ଲକ ସଦରସ୍ଥିତ ଉଦ୍ୟାନ ବିଭାଗର ବଗିଚା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଥିବା ନେଇ କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ବନମାଳୀ ସାହୁ ଅଭିଯୋଗ କରିଥିଲେ।

Share