ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ ଗ୍ରାମରେ ଏବେଠାରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି।
ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତର ଜଲିଆ ଓ ଡାହିମାଲ ଗ୍ରାମରେ ସାମୂହିକ ନୂଆଁଖାଇ ପର୍ବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୂଆଁଖାଇ ପର୍ବ ପାଳନ ପାଇଁ ଦୁଇ ଗାଁର ଗ୍ରାମବାସୀ ଲାଗିପଡ଼ିଛନ୍ତି।
ଏକତାର ପର୍ବ ନୂଆଁଖାଇ ପାଳନ ପାଇଁ ଜଲିଆ ଓ ଡାହିମାଲ ଦୁଇ ଖଣ୍ଡ ଗାଁର ପ୍ରାୟ ୮୦୦ ପରିବାରର ୨୦ ପ୍ରକାର ଜାତିର ପ୍ରାୟ ୫ ହଜାର ଲୋକ ଏକାଠି ହୋଇ ନୂଆଁ ଖାଇବାର ପରମ୍ପରା ରହିଛି। ସେହି ପରମ୍ପରା ଅନୁଯାୟୀ ମଙ୍ଗଳବାର ଜଲିଆ ଗ୍ରାମରେ ସମସ୍ତ ଜାତି ଓ ବର୍ଗର ଲୋକଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।
ଗ୍ରାମର ମୁଖିଆ ଗୌନ୍ତିଆ ଓ ଝାଙ୍କରଙ୍କ ଅନୁମତିକ୍ରମେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସର୍ବସମ୍ମତିକ୍ରମେ ଗ୍ରାମବାସୀ ଏକାଠି ହୋଇ ନୂଆଁ ଖାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହ ନୂଆଁଖାଇ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ଆୟୋଜନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ଆସନ୍ତା ୫ ତାରିଖରେ ଡାହିମାଲ ଗ୍ରାମରେ ସାମୂହିକ ନୂଆଁଖାଇ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ୧୦ ତାରିଖରେ ଗ୍ରାମଦେବାଦେବୀଙ୍କୁ ବରଣ, ନୂଆଁ ଧାନ ଓ କୁରେପତର ସଂଗ୍ରହ ଆଦି କାର୍ଯ୍ୟକ୍ରମ ରହିଛି।
ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜଲିଆ ଓ ଡାହିମାଲ ଗ୍ରାମର ସାମୂହିକ ନୂଆଁଖାଇ ପ୍ରସ୍ତୁତି ଏକ ସ୍ୱତନ୍ତ୍ର ଓ ନିଆରା ପରମ୍ପରାର ପରିଚୟ ଦେଉଛି।
ଗ୍ରାମର ସାମୂହିକ ନୂଆଁଖାଇ ବୈଠକରେ ଗୌନ୍ତିଆ ଲଲିତ ମୋହନ ବୁଡ଼େକ, ହେମସାଗର ବରିହା, ସିପୁନ ଖମାରୀ, ଲଲିତ ମୋହନ ରାଉତ, ଡିଙ୍ଗର ରାଉତଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ।

