ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩ ସାଧାରଣ ନିର୍ବାଚନକୁ ଅବଲୋକନ କଲେ ଏଠାରେ ଭୋଟରମାନଙ୍କ ମଧ୍ୟରେ ମତଦାନକୁ ନେଇ ଅରୁଚି ରହିଥିବା ଦେଖିବାକୁ ମିଳିଛି। ଏହି ୩ ନିର୍ବାଚନରେ କୋରେଇ ଓ ଯାଜପୁର ଭଳି ସହରାଞ୍ଚଳ ବିଧାନସଭା ନିର୍ବାଚନରେ ଭୋଟ ହାର ୮୦ ପ୍ରତିଶତ ଛୁଇଁ ପାରିନାହିଁ। ସହରାଞ୍ଚଳ ଭୋଟର ଅଧିକ ସଚେତନ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ତାହା ଭୁଲ ପ୍ରମାଣିତ ହେଉଛି। ଅନ୍ୟପକ୍ଷେ ଆଦିବାସୀ ବହୁଳ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଗତ ୩ ନିର୍ବାଚନରେ ସର୍ବାଧିକ ମତଦାନ ହୋଇଆସିଛି।

ପ୍ରଶାସନିକ, ବ୍ୟବସାୟିକ ଓ ସାମାଜିକ ଦୃଷ୍ଟିରୁ ବ୍ୟାସନଗର ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। କୋରେଇ ନିର୍ବାଚନମଣ୍ଡଳୀରେ ବ୍ୟାସନଗର ସହର ରହିଛି। ଏହି ନିର୍ବାଚନମଣ୍ଡଳୀରେ ୨,୭୦,୩୨୪ ଲୋକସଂଖ୍ୟା ମଧ୍ୟରୁ ୨,୦୭,୨୮୩ ଭୋଟର ରହିଛନ୍ତି। ଏଥିରେ ୧,୦୬,୪୨୧ ପୁରୁଷ. ୧,୦୦,୮୩୮ ମହିଳା ଏବଂ ୨୪ ଅନ୍ୟାନ୍ୟ ଭୋଟର ରହିଛନ୍ତି। ଏଠାରେ ୨୦୦୯ରେ ୬୬.୯୬%, ୨୦୧୪ରେ ୭୫.୭୧% ଓ ୨୦୧୯ରେ ୭୪.୭% ମତଦାନ ହୋଇଥିଲା। ସେହିପରି ଯାଜପୁର ସହର ରହିଥିବା ଯାଜପୁର ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ୬୩.୮୪%, ୨୦୧୪ରେ ୭୨.୧୨% ଓ ୨୦୧୯ରେ ୭୦.୭୯% ମତଦାନ ହୋଇଥିଲା। ଅନ୍ୟପକ୍ଷରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନତା ଦେଖାଇ ଆସୁଛନ୍ତି। ଏଠାରେ ୨୦୦୯ରେ ୭୬.୪୪%, ୨୦୧୪ରେ ୮୪.୩୫% ଏବଂ ୨୦୧୯ରେ ୭୯.୭୮% ରହିଥିଲା। ୨୦୦୯ରେ କଂଗ୍ରେସର ଶରତ ରାଉତ ମାତ୍ର ୨୪୦୩ ଭୋଟ ବ୍ୟବଧାନରେ ପ୍ରଫୁଲ୍ଲଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୪ରେ ମଧ୍ୟ ଶରତ ମାତ୍ର ୪,୭୦୭ ଭୋଟ ବ୍ୟବଧାନରେ ପ୍ରୀତିରଞ୍ଜନ ଘଡେଇଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୯ରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଯାଇଥିବାବେଳେ ଭାଜପାର ପ୍ରଦୀପ ବଳସାମନ୍ତ ୧୬,୭୩୦ ଭୋଟ ବ୍ୟବଧାନରେ ଘଡେଇଙ୍କଠାରୁ ହାରିଥିଲେ। କିନ୍ତୁ ଏଥର ସ୍ଥିତି ବଦଳିଛି। ଖଣି ଓ ଶିଳ୍ପ ସମୃଦ୍ଧ ଏହି ନିର୍ବାଚନମଣ୍ଡଳୀରେ ଯୁବ ଭୋଟରମାନଙ୍କ ମଧ୍ୟରେ ଅଧିକ ସଚେତନତା ଦେଖାଦେଇଛି। ଏହି ୫ ବର୍ଷରେ ସ୍ଥାନୀୟ ନିଯୁକ୍ତି ଏବଂ ଜମି ଅଧିଗ୍ରହଣ ଓ ବିସ୍ଥାପିତମାନଙ୍କୁ ଅବହେଳା ଅଭିଯୋଗରେ ବହୁ ଆନ୍ଦୋଳନ, ପ୍ରତିବାଦ ଆଦି ହୋଇଆସିଛି। ଏହା ଆଗାମୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଞ୍ଝାରପୁର ଓ ବରୀ ଆସନରେ ମତଦାନ ହାର ନୈରାଶ୍ୟଜନକ ରହିଆସିଛି। ପ୍ରଶାସନ ଶତପ୍ରତିଶତ ମତଦାନ କରିବାକୁ ତପତ୍ର ଥିବାବେଳେ ଭୋଟମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିପାଇଲେ ଭୋଟହାର ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି।