୮ରୁ ଖୋଲିବ ନବମ,ଏକାଦଶ ଶ୍ରେଣୀ

ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବ। ସୋମବାର ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସୋମବାରଠାରୁ ଶନିବାର ଯାଏ ପ୍ରତ୍ୟହ ସକାଳ ୮ଟା ୩୦ ମିନିଟରୁ ୧୦ଟା ୩୦ ମିନିଟ ଯାଏ ୩ଟି ପିରିୟଡ ହେବ। ଏହା ମଧ୍ୟରେ କୌଣସି ମଧ୍ୟାନ୍ତର ହେବ ନାହିଁ। ନବମ ଓ ଏକାଦଶ ଶ୍ରେଣୀ ପାଇଁ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ଏକ ୟୁନିଟ୍‌ ପରୀକ୍ଷା ହେବ। ଏପ୍ରିଲ ମାସର ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ଖୋଲିବା ପୂର୍ବରୁ ୨୦୨୧ ଜାନୁୟାରୀ ୨ ତାରିଖରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୧୫ରେ ଦିଆଯାଇଥିବା ମାର୍ଗଦର୍ଶିକା ଏବଂ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଛାତ୍ରାବାସ ଥିବା ସ୍କୁଲଗୁଡିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜାନୁୟାରୀ ୩ ତାରିଖରେ ଦିଆଯାଇଥିବା ପତ୍ର ସଂଖ୍ୟା ୧୧୭ର ଗାଇଡ୍‌ଲାଇନ ପାଳନ କରିବାକୁ କୁହାଯାଇଛି।
କୋଭିଡ୍‌-୧୯ ଯୋଗୁ ଦୀର୍ଘ ୧୦ ମାସ ହେବ ସ୍କୁଲ ବନ୍ଦ ରହିଥିଲା। ପିଲାମାନଙ୍କୁ ଅନ୍‌ଲାଇନରେ ଶିକ୍ଷାଦାନ କରାଯାଉଥିଲା। ତେବେ ଅନେକ ଅଞ୍ଚଳରେ ଅନ୍‌ଲାଇନ ଶିକ୍ଷାଦାନରୁ ବହୁ ଛାତ୍ରୀଛାତ୍ର ବଞ୍ଚିତ ହେଉଥିବା ଅଭିଯୋଗ ହେଉଥିଲା। କରୋନା ପ୍ରକୋପ ହ୍ରାସ ପାଇବା ପରେ ରାଜ୍ୟ ସରକାର ପ୍ରଥମେ ଜାନୁୟାରୀ ୮ ତାରିଖରୁ ଦଶମ ଓ ଯୁକ୍ତ୨ ଶ୍ରେଣୀଙ୍କୁ ଖୋଲିଥିଲେ। ଏହି ଦୁଇ ଶ୍ରେଣୀର ପିଲାମାନଙ୍କୁ ପରୀକ୍ଷା ପୂର୍ବରୁ ୧୦୦ ଦିନ ପାଠ ପଢାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରବିବାର ମଧ୍ୟ ଶିକ୍ଷକମାନେ ସ୍କୁଲ ଆସିବାକୁ କୁହାଯାଇଛି। ପରୀକ୍ଷା କମ୍‌ ଦିନ ଥିବାରୁ ସରକାର ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ ଭଳି ଟେଷ୍ଟ ପେପର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।