ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଯିବେ ୮ ସଦସ୍ୟ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହେବ। ସାଧାରଣ ପରିଷଦରେ ଖାଲି ପଡ଼ିଥିବା ୮ଜଣ ସଦସ୍ୟଙ୍କ ମନୋନୟନ ପାଇଁ ଏହି ବୈଠକ ବସିବ। ଏକାଡେମୀ ସଚିବ, ସଭାପତିଙ୍କ ସମେତ ୪୮ଜଣ ପରିଷଦ ସଦସ୍ୟ ଏହି ମନୋନୟନ ପ୍ରକ୍ରିୟାରେ ସାମିଲ ହୋଇ ୮ ପ୍ରାର୍ଥୀଙ୍କୁ ଚୟନ କରିବେ। ପୂର୍ବରୁ ଏହି ପରିଷଦରେ ୪୮ଜଣ ସଦସ୍ୟ ରହିଥିବାବେଳେ ଆଉ ୮ଜଣଙ୍କୁ ସେଥିରେ ସାମିଲ କରାଯିବ। ଏହି ଚୟନ ହେବାପରେ ସାଧାରଣ ପରିଷଦ ସମ୍ପୂର୍ଣ୍ଣ ହେବ। ଓଡ଼ିଆ ସାହିତ୍ୟ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭୋଟିଂ ମାଧ୍ୟମରେ ସଦସ୍ୟଭାବେ ଚୟନ କରାଯିବ। ଏକ ମାସ ପରେ ପୁଣିଥରେ ବୈଠକ ବସି କାର୍ଯ୍ୟକାରୀ ସଦସ୍ୟ, ଅର୍ଥ ପରାମର୍ଶଦାତାଙ୍କୁ ନିଯୁକ୍ତ କରାଯିବ ବୋଲି ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ୭ରେ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠନ କରାଯାଇଥିବାବେଳେ ଜୁଲାଇ ୨୪ରୁ ଏହା କାର୍ଯ୍ୟକାରୀ ହୋଇଥିଲା।