କ୍ଷତିରେ ରାଜ୍ୟର ୮ ସରକାରୀ ଉଦ୍ୟୋଗ

ଭୁବନେଶ୍ବର,୧୩ା୩(ବ୍ୟୁରୋ): ରାଜ୍ୟର ମୋଟ୍‌ ୩୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୮ଟି ଏବେ କ୍ଷତିରେ ଚାଲିଛି। ସରକାରୀ ତଥ୍ୟ ଅନୁସାରେ, ଗ୍ରୀଡକୋ ୨୦୧୯-୨୦ରେ ୧୩୩୫.୬୫ କୋଟି, ୨୦୨୦-୨୧ରେ ୧୪୯୬.୦୭ କୋଟି ଏବଂ ୨୦୨୧-୨୨ରେ ୪୭୩.୫୯ କୋଟି ଟଙ୍କା କ୍ଷତି ସହିଛି। ସେହିପରି ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ୩ ବର୍ଷରେ ୪୩୭ କୋଟି କ୍ଷତି କରିଛି। ଏହି ନିଗମକୁ ୨୦୧୯-୨୦ରେ ୧୪୩.୨୨ କୋଟି, ୨୦୨୦-୨୧ରେ ୧୮୮.୯୫ କୋଟି ଏବଂ ୨୦୨୧-୨୨ରେ ୧୦୫.୩୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଓଡ଼ିଶା ପର୍ଯ୍ୟଟନ ନିଗମ ୨୦୧୯-୨୦ରେ ଏହା ୩.୪୦ କୋଟି ଲାଭ କରିଥିଲା। ହେଲେ ୨୦୨୦-୨୧ରେ ୧.୮୨ କୋଟି ଏବଂ ୨୦୨୧-୨୨ରେ ୩.୭୯ କୋଟି ଟଙ୍କା ନିଗମର କ୍ଷତି ହୋଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ମଧ୍ୟ କ୍ଷତିରେ ଚାଲୁଥିବା ତଥ୍ୟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ, ୨୦୧୯-୨୦ରେ ଏହାର କ୍ଷତିର ପରିମାଣ ୯.୦୬୨୦ କୋଟି ଥିବାବେଳେ ୨୦୨୦-୨୧ରେ ୧୦.୫୪୭୧ କୋଟି ଏବଂ ୨୦୨୧-୨୨ରେ ୧.୯୭୪୨ କୋଟି ରହିଛି। ରାଜ୍ୟ ଅର୍ଥ ନିଗମ ୨୦୧୯-୨୦ରେ ୨.୩୫ କୋଟି ଏବଂ ୨୦୨୦-୨୧ରେ ୦.୯୫ କୋଟି କ୍ଷତି କରିଥିବା ବେଳେ ୨୦୨୧-୨୨ରୁ ଏହା ଲାଭରେ ଥିବା ସୂଚନା ରହିଛି। ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଏମ୍‌ଏମ୍‌ଡିଆର ଆକ୍ଟ ଅନୁଯାୟୀ କ୍ଷତିପୂରଣ ଜମା କରିବା ଯୋଗୁ କ୍ଷତି କରୁଛି। ସେହିପରି ରାଜ୍ୟ ଯୋଗାଣ ନିଗମ ୩ ବର୍ଷ ହେଲା ବିନା ଲାଭ କିମ୍ବା କ୍ଷତିରେ ଚାଲିଛି। ଓଡ଼ିଶା ଗ୍ରାମ୍ୟଗୃହ ର୍ନିମାଣ ଏବଂ ଉନ୍ନୟନ ନିଗମ ଗତ ୩ ବର୍ଷରେ ୧୧୪୩୩.୧୧ ଲକ୍ଷ ଟଙ୍କାର କ୍ଷତି ସହିଛି। ଇଡ୍‌କଲ କଳିଙ୍ଗ ଆଇରନ ୱାର୍କସର ୨୦୧୯-୨୦ରେ ୧.୨୬ କୋଟି ଏବଂ ୨୦୨୦-୨୧ରେ ୨୩.୧୭ କୋଟି ଲାଭ ହୋଇଥିବାବେଳେ କେବଳ ୨୦୨୧-୨୨ରେ ଏହାକୁ ୩୦.୬୭ କୋଟିର କ୍ଷତି ସହିବାକୁ ପଡ଼ିଛି। ଇଡକଲ ଫେରୋ କ୍ରୋମ ଆଣ୍ଡ ଆଲୋଏଜ୍‌ ୨୦୧୯-୨୦ରେ ୫.୮୨ କୋଟି ଏବଂ ୨୦୨୦-୨୧ରେ ୦.୪୦ କୋଟି କ୍ଷତି କରିଥିବାବେଳେ ୨୦୨୧-୨୨ରେ ଏହା ୧୯.୧୦ କୋଟି ଲାଭ କରିଥିବା ଜଣାପଡ଼ିଛି।