୪ ମାସ ଦରମା ପାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ ହୋଇଛି। ମାତ୍ର ଏ ନେଇ କୌଣସି ସୁଫଳ ନ ମିଳିବାରୁ ସୋମବାର ବିଏସ୍‌ଏନ୍‌ଏଲ୍‌ କାଜୁଆଲ୍‌ କର୍ମଚାରୀ ସଂଘର ଆହ୍ବାନରେ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।
କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ବିଭିନ୍ନ ଠିକା ସଂସ୍ଥା ଅଧୀନରେ ବିଏସ୍‌ଏନ୍‌ଏଲ୍‌ରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି । ମାତ୍ର ଗତ ୪ ମାସ ହେଲା ସେମାନଙ୍କୁ ଦରମା ମିଳିନି । ଏନେଇ କେତେକ ବରିଷ୍ଠ ଅଧିକାରୀଙ୍କୁ ଗୁହାରି କରିବା ପରେ ସେମାନେ କହିଥିଲେ, ପାଣ୍ଠି ନାହିଁ । ପାଣ୍ଠି ଆସିଲେ ଦରମା ଦିଆଯିବ।
ଅନ୍ୟପଟେ ଠିକା ସଂସ୍ଥାକୁ ମଧ୍ୟ ଗତ ଡିସେମ୍ବର ଠାରୁ ଟଙ୍କା ଦିଆଯାଇ ନାହିଁ । ଏଣୁ ସେ କର୍ମଚାରୀଙ୍କୁ ଦରମା ଦେଇପାରୁ ନାହାନ୍ତି । ଏପରିକି ଠିକା ସଂସ୍ଥା ଟଙ୍କା ପାଉ ନ ଥିବା ବେଳେ ଭବିଷ୍ୟନିଧି ପାଣ୍ଠିରେ ଟଙ୍କା ଜମା କରାଯାଉ ନାହିଁ। ବିଏସ୍‌ଏନ୍‌ଏଲ୍‌ର ନିୟମିତ କର୍ମଚାରୀମାନେ ମୋଟା ଅଙ୍କର ଦରମା ପାଉଥିବା ବେଳେ ସ୍ବଳ୍ପ ଦରମାରେ କାମ କରୁଥିବା ଠିକା କର୍ମଚାରୀମାନଙ୍କୁ ଦରମା ପ୍ରଦାନ ପାଇଁ ବିଏସ୍‌ଏନ୍‌ଏଲ୍‌ ପାଖରେ ଟଙ୍କା ନାହିଁ ବୋଲି କର୍ମଚାରୀ କହିଛନ୍ତି । ଏଣୁ ତୁରନ୍ତ ଦରମା ପ୍ରଦାନ ସହ କର୍ମଚାରୀ ଭବିଷ୍ୟନଧି ପାଣ୍ଠିରେ ବକେୟା ଟଙ୍କା ଜମା କରିବା ଦାବିରେ କର୍ମଚାରୀମାନେ ସୋମବାର ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏନେଇ ଏକ ଦାବିପତ୍ର ବିଏସ୍‌ଏନ୍‌ଏଲ୍‌ର ବରିଷ୍ଠ ଅଧଧିକାରୀଙ୍କୁ ପ୍ରଦାନ କରାଯାଇଛି । ସଂଘର ସମ୍ପାଦକ ଅଶୋକ କୁମାର ବେହେରା, ଏସ୍‌.କେ. ଗିରି, ସୋମନାଥ ମହାପାତ୍ର, କେ. ବାସୁଦେବ, କେ. ରବି କୁମାର, ସଞ୍ଜୟ କୁମାର ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତିଧ।