୭୫୫୬ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍‌ ଟିକା

ଖୋର୍ଦ୍ଧା ଅଫିସ,୬ା୧: କୋଭିଡ୍‌-୧୯ ଟିକାକରଣ ପାଇଁ ଟାସ୍କଫୋର୍ସ କମିଟିର ତୃତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ପତି କହିଲେ ଯେ, ଟିକାଦାନ ଲାଗି ସମସ୍ତ ପ୍ରସ୍ତୁତି ସରିଛି। ନିକଟରେ ଡ୍ରାଏ ରନ୍‌ ମକଡ୍ରିଲ କରାଯାଇଛି। ଖୋର୍ଦ୍ଧା ଜିଲାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଜିଲାରେ ୭୫୫୬ଜଣଙ୍କୁ ଟିକା ଦିଆଯିବ। ସେମାନଙ୍କ ମଧ୍ୟରୁ ୩୧୦୫ ଜଣ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀ, ୪୧୧୬ ମହିଳା ଓ ଶିଶୁ ବିଭାଗର କର୍ମଚାରୀ ଏବଂ ୩୩୫ଜଣ ଘରୋଇ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଜିଲାର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୬୦ଟି କେନ୍ଦ୍ରରେ ଟିକାଦାନ କେନ୍ଦ୍ର କରାଯାଇଛି। ପ୍ରତି କେନ୍ଦ୍ରରେ ଜଣେ ମେଡିକାଲ ଅଫିସର ରହିବେ। ସୁପରିଚାଳନା ଲାଗି ୩୪୨ ଭାକ୍ସିନେଟର ସୁପରଭାଇଜର ନିୟୋଜିତ ହେବେ। କୋଭିଡ୍‌ ଟିକା ରଖିବା ଲାଗି ସମସ୍ତ ବ୍ୟବସ୍ଥା କରାଯିବ। ଟିକାକରଣ ଲାଗି ଜିଲା ଏବଂ ବ୍ଲକସ୍ତରରେ ବୈଠକ ଓ ତାଲିମ ସରିଛି। ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଦ୍ୱାରିକାନାଥ ଶତପଥୀ କହିଲେ, ପ୍ରତିଦିନ ଶହେ ଜଣକୁ ଟିକା ଦିଆଯିବ। ଟିକା ନେବାକୁ ଥିବା କୋଭିଡ୍‌ ଯୋଦ୍ଧାଙ୍କ ନାମ ପୂର୍ବରୁ ପଞ୍ଜୀକୃତ ସରିଛି। ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଦିଆଯିବ। ଟିକାକରଣ ଲାଗି ପୂର୍ବ ପ୍ରସ୍ତୁତି ସରିଛି। ପ୍ରତି କେନ୍ଦ୍ରରେ ଜଣେ ଭାକ୍ସିନେଟର, ଜଣେ ଭାକ୍ସିନେସନ ଅଧିକାରୀ, ଜଣେ ଭେରିଫାୟର ଓ ୨ଜଣ ସୁପରଭାଇଜର ରହିବେ। ପ୍ରତି କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କେନ୍ଦ୍ର ଓ ଟିକାକରଣ କେନ୍ଦ୍ର ରହିବ। ଟିକା ନେବା ପରେ ୩୦ ମିନିଟ ନିରୀକ୍ଷଣରେ ରହିବା ପରେ ଛଡ଼ାଯିବ। ବୈଠକରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜୀବନ୍ତ ଆଚାର୍ଯ୍ୟ, ଡେପୁଟି କଲେକ୍ଟର ଡ. ବଳରାମ ବାଗ, ଡିପିଏମ୍‌ ଗୀତାଞ୍ଜଳି ଦାସ, ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।