Categories: ଜାତୀୟ

୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ ଲୋକାର୍ପିତ…

ନୂଆଦିଲ୍ଲୀ,୧୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ଟି ଜିଲାର ୭୫ ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ପୁଣି ଥରେ ଡିଜିଟାଲ ଇଣ୍ଡିଆର ସାମର୍ଥ୍ୟର ସାକ୍ଷୀ ପାଲଟିଛି।

ସେ କହିଛନ୍ତି, ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜୀବନକୁ ସହଜ କରିବା ଲାଗି ହେଉଛି ଏକ ବଡ଼ ପଦକ୍ଷେପ। ଏହା ହେଉଛି ଏକ ସ୍ବତନ୍ତ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଯାହା ସର୍ବନିମ୍ନ ଡିଜିଟାଲ ଭିତ୍ତିଭୂମି ସହିତ ସର୍ବାଧିକ ସେବା ଯୋଗାଇବାରେ କାର୍ଯ୍ୟ କରିବ। ସେ କହିଛନ୍ତି, ଆମେ ସାଧାରଣ ମଣିଷମାନଙ୍କର ଜୀବନଧାରଣର ମାନ ପରିବର୍ତ୍ତନ କରିବାକୁ ସଂକଳ୍ପ ନେଇ ଦିନରାତି କାର୍ଯ୍ୟ କରୁଛୁ। ଆମର ସଂକଳ୍ପ ହେଉଛି ସିଷ୍ଟମଗୁଡ଼ିକର ଉନ୍ନତି। ଯାହାଦ୍ୱାରା ସେବା ସ୍ବଚ୍ଛତା ଭାବେ ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାଜପା ସରକାର ଏକାସାଙ୍ଗରେ ଦୁଇଟି ଜିନିଷ ଉପରେ କାମ କରିଛନ୍ତି। ଗୋଟିଏ ହେଉଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଉନ୍ନତି, ମଜବୁତ ଏବଂ ସ୍ବଚ୍ଛତା ଆଣିବା ଏବଂ ଅନ୍ୟଟି ହେଉଛି ଆର୍ଥିକ ଅନ୍ତର୍ଭୁକ୍ତି କରଣ କରିବା। ସେ କହିଛନ୍ତି, ବ୍ୟାଙ୍କିଙ୍ଗ ସେବାକୁ ସୁଦୂର, ଦ୍ୱାରରୁ ଦ୍ୱାରକୁ ନେବାକୁ ଆମେ ପ୍ରାଥମିକତା ଦେଇଛୁ। ଆଜି ଭାରତର ୯୯ ପ୍ରତିଶତରୁ ଅଧିକ ଗାଁରେ କିଛି ବା ଅନ୍ୟ ବ୍ୟାଙ୍କ ଶାଖା, ବ୍ୟାଙ୍କିଙ୍ଗ ଆଉଟଲେଟ କିମ୍ବା ୫ କିଲୋମିଟର ମଧ୍ୟରେ ବ୍ୟାଙ୍କିଙ୍ଗ ବନ୍ଧୁ ଅଛନ୍ତି। ଆଜି ଜର୍ମାନୀ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶ ତୁଳନାରେ ଭାରତର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟା ପାଇଁ ଅଧିକ ବ୍ୟାଙ୍କ ଶାଖା ରହିଛି।

ସେ କହିଛନ୍ତି ଯେ ଆମର ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମି ଉଦ୍ୟମକୁ ଆଇଏମଏଫ ପ୍ରଶଂସା କରିଛି। ଯେତେବେଳେ ଆମେ ଜନ ଧନ ଆକାଉଣ୍ଟ ଅଭିଯାନ ଆରମ୍ଭ କରିଥିଲୁ, ବ୍ୟାଙ୍କ ଆକାଉଣ୍ଟ ସହିତ ଗରିବ ଲୋକ କଣ କରିବେ ସେନେଇ ସ୍ବର ଉଠିଥିଲା ବୋଲି ସେ କହିଛନ୍ତି। ଏପରିକି ଏହି କ୍ଷେତ୍ରର ଅନେକ ବିଶେଷଜ୍ଞ ବୁ ଝିବାକୁ ସକ୍ଷମ ହୋଇ ନଥିଲେ, ଏହି ଅଭିଯାନର ମହତ୍ତ୍ୱ କ’ଣ? କିନ୍ତୁ ବ୍ୟାଙ୍କ ଖାତାର ଶକ୍ତି କ’ଣ, ଏହାକୁ ଆଜି ସାରା ଦେଶର ଲୋକେ ଦେଖୁଛନ୍ତି।

Share