ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର ତାଲିକାର ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ତେବେ ରାଜ୍ୟରେ ପ୍ରତିବର୍ଷ ବିଭିନ୍ନ କାରଣରୁ ଭୋଟରତାଲିକାରୁ ନାମ ବାଦ୍ ପଡୁଥିବାବେଳେ ଯୁବ ଭୋଟର ଯୋଡ଼ି ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୨୦ ଫେବୃଆରୀ ୧୫ରୁ ଇତିମଧ୍ୟରେ ୭୪ଲକ୍ଷ ୮୯ହଜାର ୨୩୪ ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।
ସିଇଓ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ୨୦୨୦ ଫେବୃଆରୀ ୧୫ରୁ ୨୦୨୧ ଜାନୁଆରୀ ୧୪ ମଧ୍ୟରେ ୮ଲକ୍ଷ ୩ହଜାର ୫୪୩ଜଣ ବାଦ୍ ପଡ଼ିଛନ୍ତି। ଏଥିମଧ୍ୟରେ ମୃତକ, ସ୍ଥାନାନ୍ତର ସହିତ ଅନ୍ୟାନ୍ୟ ବର୍ଗ ରହିଛନ୍ତି। ଏହା ସହିତ ନୂତନ ଭୋଟର ମଧ୍ୟ ଯୋଡ଼ି ହେଉଛନ୍ତି। ସେହିପରି ୨୦୨୧ ଜାନୁଆରୀ ୧୫ରୁ ୨୦୨୨ ଜାନୁଆରୀ ୪ ମଧ୍ୟରେ ୬ଲକ୍ଷ ୩୮ ହଜାର ୮୪୭ ଭୋଟର ବାଦ୍ ପଡ଼ିଥିବାବେଳେ ୨୦୨୨ ଜାନୁଆରୀ ୫ରୁ ୨୦୨୩ ଜାନୁଆରୀ ୪ ମଧ୍ୟରେ ୧୪ଲକ୍ଷ ୯୯ହଜାର ୪୨୧ ଭୋଟର ବାଦ୍ ପଡ଼ିଛନ୍ତି। ଏହାସହିତ ୨୦୨୩ ଜାନୁଆରୀ ୫ରୁ ୨୦୨୪ ଜାନୁଆରୀ ୪ ମଧ୍ୟରେ ୧୦ଲକ୍ଷ ୩୬ହଜାର ୧୫୨ ଭୋଟର ବାଦ୍ ପଡ଼ିଥିବାବେଳେ ୨୦୨୪ ଜାନୁଆରୀ ୬ରୁ ୨୦୨୫ ଜାନୁଆରୀ ୪ ମଧ୍ୟରେ ୩ଲକ୍ଷ ୪୦ହଜାର ୪୮୪ଜଣ, ୨୦୨୫ ଜାନୁଆରୀ ୫ରୁ ୨୦୨୬ ଜୁନ୍ ୩୦ ମଧ୍ୟରେ ୧୧ଲକ୍ଷ ୫୮ହଜାର ୨୫୦ଜଣ ଭୋଟର ବାଦ୍ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଚାଲିଥିବା ଏସ୍ଆଇଆର୍ ପ୍ରକ୍ରିୟାରେ ୨୦ଲକ୍ଷ ୧୨ହଜାର ୫୫୭ଜଣ ବାଦ୍ ପଡ଼ିଛନ୍ତି।
ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟାରେ ଯେଭଳି କୌଣସି ତ୍ରୁଟି ବିଚ୍ୟୁତି ନ ରହିବ ତାକୁ ଦୃଷ୍ଟିରେ ରଖି ବହୁବିଧ ସତର୍କତା ଅବଲମ୍ବନ କରାଯାଉଥିବା ସିଇଓ କହିଛନ୍ତି। ସେ କହିଛନ୍ତି, ଭୋଟରତାଲିକାରୁ ବାଦ୍ ପଡ଼ିବା ଏବଂ ଯୋଡ଼ି ହେବା ଏକ ନିୟମିତ ପ୍ରକ୍ରିୟା। ତେବେ ଯେଉଁ କ୍ଷେତ୍ରରେ ମ୍ୟାପିଂ ହୋଇପାରୁନାହିଁ, ସେକ୍ଷେତ୍ରରେ ବିଏଲ୍ଓମାନେ କ୍ଷେତ୍ରସ୍ଥଳରେ ପହଞ୍ଚି ତର୍ଜମା କରିବାକୁ କୁହାଯାଇଛି। ଯଦି କୌଣସି କ୍ଷେତ୍ରରେ ତ୍ରୁଟି ବାହାରିବ ସେଥିପାଇଁ ବିଏଲ୍ଓମାନେ ଦାୟୀ ରହିବେ। ଅଦ୍ୟାବଧି ୫୮ଲକ୍ଷ ୩୬ହଜାର ୩୪୧ଜଣଙ୍କ କ୍ଷେତ୍ରରେ ଅସାମଞ୍ଜସ୍ୟ ଦେଖାଦେଇଛି। ତାକୁ ନେଇ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସହ ଅଧିକାରୀଙ୍କୁ ଠିକଣା ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୫ରେ ଭୋଟରତାଲିକାର ଚିଠା ପ୍ରସ୍ତାବ ଜାରି ହେବା ପରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ପାଇଁ ଜନସାଧାରଣଙ୍କୁ ଆବେଦନ କରାଯାଇଛି। ଏହାମଧ୍ୟରେ ଯେଉଁମାନେ ଆପତ୍ତି କରିଥିବେ ଏବଂ ସେଗୁଡ଼ିକୁ ସମ୍ପୃକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ କିମ୍ବା ଅଧସ୍ତନ ଅଧିକାରୀ ଗୁରୁତ୍ୱ ଦେଇ ନ ଥିବେ ତେବେ ସେ କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପ୍ଟେମ୍ବର ୬ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ଏବଂ ସିଇଓଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଜିଲାକୁ ଜିଲା ଗସ୍ତ କରୁଛନ୍ତି ବୋଲି ସିଇଓ ଆର୍. ସନ୍ଥ ଗୋପାଳନ କହିଛନ୍ତି।