ମରାମତି ହେବ ୭୩୬ ଡ୍ୟାମ୍‌

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୁରୁଣା ଜଳଭଣ୍ଡାରଗୁଡିକର ମରାମତି ହେବ। କେନ୍ଦ୍ର ସରକାର ୧୯ଟି ରାଜ୍ୟର ୭୩୬ ଡ୍ୟାମ୍‌ର ଉନ୍ନତୀକରଣ ଓ ମରାମତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ୩୬ଟି ଡ୍ୟାମ୍‌ ରହିଛି। ଆସନ୍ତା ୧୦ ବର୍ଷ ଭିତରେ ଏହି କାର୍ଯ୍ୟ ଶେଷ ହେବ। କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ୧୦,୨୧୧ କୋଟି ଟଙ୍କା ଖର୍ଚ୍ଚ କରିବ। ଡ୍ୟାମ୍‌ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୧୨ରେ ଆରମ୍ଭ ହୋଇଥିଲା। ୭ଟି ରାଜ୍ୟର ୨୨୩ ଡ୍ୟାମ୍‌କୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୨୦ରେ ଏହାର ସମୟ ସୀମା ଶେଷ ହେଉଛି। ଡ୍ୟାମ୍‌ ରକ୍ଷଣାବେକ୍ଷଣ ପାଇଁ ବିଶ୍ୱ ବ୍ୟାଙ୍କ ୮୦ ପ୍ରତିଶତ ଅନୁଦାନ ପ୍ରଦାନ କରିବ। ଡ୍ୟାମ୍‌ଗୁଡିକ ରାଜ୍ୟମାଲିକାନାରେ ରହିଛି। କେଉଁ ଡ୍ୟାମ୍‌ର ରକ୍ଷଣାବେକ୍ଷଣ ଆବଶ୍ୟକ ସେ ନେଇ ରାଜ୍ୟ ସରକାରମାନେ ପ୍ରସ୍ତାବ ଦେବେ। ଏହି ପର୍ଯ୍ୟାୟରେ ଡ୍ୟାମଗୁଡିକର ଉନ୍ନତୀକରଣ ସହ ଏହାର ଜଳଧାରଣ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯିବ। ଏ ନେଇ ଅଧିକାରୀମାନଙ୍କର ତାଲିମ ପ୍ରଦାନ କାର୍ଯ୍ୟ ଜାରିରହିଛି। ଏହାଛଡ଼ା ଡ୍ୟାମ୍‌ଗୁଡିକରେ ଜଳ ପର୍ଯ୍ୟଟନର ବିକାଶ ପାଇଁ ପ୍ରକଳ୍ପର ୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଡ୍ୟାମ୍‌ ନିର୍ମାଣରେ ଚାଇନା ଓ ଆମେରିକା ପରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ଦେଶ। ଦେଶରେ ୫,୩୩୪ ଡ୍ୟାମ୍‌ ରହିଛି। ୪୧୧ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ଦେଶରେ ଥିବା ୮୦ ପ୍ରତିଶତ ଡ୍ୟାମ୍‌ ୨୫ ବର୍ଷରୁ ଊର୍ଦ୍ଧ୍ୱ। କେତେକ ଡ୍ୟାମ୍‌ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ରହିଛି। ଓଡ଼ିଶାର ହୀରାକୁଦ, ଅପରକୋଲାବ, ମାଛକୁଣ୍ଡ ଭଳି କେତେକ ପୁରୁଣା ଡ୍ୟାମ୍‌ର ମରାମତି ଓ ଏହାର ଜଳ ଧାରଣ କ୍ଷମତା ବୃଦ୍ଧି କରିବାକୁ ରାଜ୍ୟସରକାର ଯୋଜନା କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଡ୍ୟାମ୍‌ ମରାମତି ଯୋଜନାରେ ରାଜ୍ୟ ସରକାର ପ୍ରସ୍ତାବ ଦେବେ ବୋଲି ଜଳ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।