୭୦% ସିଟ୍‌ ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ସଂରକ୍ଷଣ

କଟକ ଅଫିସ, ୧୬ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ(ଏମ୍‌ଏଲ୍‌ୟୁ)ରେ ଅଧ୍ୟୟନ ନିମନ୍ତେ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ପାଇଁ ୭୦% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪ଟି ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ସୁବିଧା ମିଳିବ। ବାହାର ରାଜ୍ୟର ଛାତ୍ରୀଛାତ୍ରଙ୍କ ପାଇଁ ଅବଶିଷ୍ଟ ୩୦% ସିଟ୍‌ ବ୍ୟବସ୍ଥା କରାଯିବ। ସୁରକ୍ଷା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ପରିସରରେ ସିଟିଟିଭି ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଯାତାୟତ ପାଇଁ କ୍ୟାମ୍ପସରେ ସ୍ବତନ୍ତ୍ର ର଼୍ୟାମ୍ପ୍‌ର ବ୍ୟବସ୍ଥା କରାଯାଇଛି। ଖୁବ୍‌ଶୀଘ୍ର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ଅର୍ଥ ମଞ୍ଜୁର ନିମନ୍ତେ ଉଚ୍ଚଶିକ୍ଷା ବିଭାଗକୁ କର୍ତ୍ତୃପକ୍ଷ ଚିଠି ଲେଖିବେ ବୋଲି ବୁଧବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସିଣ୍ଡିକେଟ୍‌ ବୈଠକରେ ଆଲୋଚନା ହୋଇଛି। କୁଳପତି ପ୍ରଫେସର କମଲଜିତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ସମ୍ପର୍କରେ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି। ଯୋବ୍ରା କ୍ୟାମ୍ପସରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ଛାତ୍ରୀ ନିବାସ ନିର୍ମାଣ କରାଯିବ। ଏଥିରେ ଛାତ୍ରୀମାନଙ୍କ ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ପୁରୁଣା କ୍ୟାମ୍ପସ୍‌ରେ ୱାଇଫାଇ ଜୋନ୍‌ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ନବନିର୍ମିତ କୋଠାରେ ୱାଇଫାଇ ଲାଗିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ କୁଳସଚିବ ନିରୁପମା ସ୍ବାଇଁ, ସିଣ୍ଡିକେଟ ସଭ୍ୟ ଜୟଦେବ ପତି, କାର୍ତ୍ତିକ ଚନ୍ଦ୍ର ଜେନା, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏ.ଏସ୍‌.କେ. ଆଜାଦ୍‌ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।