Categories: ରାଜ୍ୟ

ଖୋଲିପାରେ ୬ଷ୍ଠରୁ ୮ମ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍‌ଲାଇନ ଶିକ୍ଷାଦାନ ବା ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବା ପାଇଁ କୁହାଯିବ। ବୁଧବାର ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ଶ୍ରେଣୀଗୃହରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ପାଇଁ ଆମେ ସ୍ବତନ୍ତ୍ର ରିଲିଫ କମିଶନର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦେଇଛୁ ବୋଲି ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର(ଏସ୍‌ଓପି) ଆଣିବାକୁ ସୁପାରିସ କରାଯିବ। ମଙ୍ଗଳବାର ସବୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର,ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କମିଶନଙ୍କ ଆଲୋଚନା ହୋଇଛି। ଶିଶୁମାନେ ଦୀର୍ଘଦିନ ହେଲା ଘରେ ମାନସିକ ଭାବେ ଚାପଗ୍ରସ୍ତ ରହିଛନ୍ତି। ବିଳମ୍ବରେ ହେଲେ ଶାରୀରିକ ବିକାଶରେ ମଧ୍ୟ ବାଧକ ହେବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ତେଣୁ ଅଗ୍ରାଧିକାରଭିତ୍ତିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ପରାମର୍ଶ ଦିଆଯିବ। ଦିନେ ଛଡ଼ା ଦିନେ ବା ଅଡ୍‌-ଇଭିନ ଫର୍ମୁଲା ବ୍ୟବହାର କରି ସ୍କୁଲ ଖୋଲିହେବ ବୋଲି ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ିଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି। ଗତ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଓ କଲେଜ ଖୋଲିଥିବାବେଳେ ଗତ ୯ରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। ସେହିପରି ଗତ ୧୬ ତାରିଖରୁ ନବମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ତେଣୁ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ଓଏସ୍‌ସିପିସିଆର୍‌, ଶିଶୁ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ରାଜ୍ୟବାସୀଙ୍କ ମତାମତକୁ ତର୍ଜମା କରୁଛନ୍ତି। ସେପଟେ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବା ପରେ ଅଧିକାଂଶ ସ୍ଥାନରେ ପିଲା ସଂକ୍ରମିତ ହେବାର ସୂଚନା ରହିଛି। ଆଉ ଏପଟେ ଦୈନିକ କରୋନାରେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ମଧ୍ୟ ଛନକା ପଶିଛି। ତୃତୀୟ ଲହରରେ ଅଧିକ ପିଲା ଆକ୍ରାନ୍ତ ହେବାର ଆକଳନ କରାଯାଉଥିବାରୁ ଏପରି ସ୍ଥିତିରେ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା କେତେ ଫଳପ୍ରଦ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।