ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ବାଲିଗୁଡ଼ା,୨୭।୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ରବିବାର ଉତ୍ତେଜନା ଦେଖାଦେଇଛି। ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ବିଦ୍ୟାଳୟ ସମ୍ମୁଖ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏପରି କି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ୱ ହୀନତା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।

ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଏବଂ ଦାୟୀତ୍ୱହୀନ କର୍ମଚାରୀଙ୍କୁ ନିଳମ୍ବନ ଦାବି କରି ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ପଡ଼ି ଅଚେତ ହୋଇପଡିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ରବିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଥାନା ଅଧିକାରୀ ବାବାଶଙ୍କର ସରାଫ, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭିଷଣ ଭୋଇ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ସରକାରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ସରକାରଙ୍କ ନିୟମ ଅନୁସାରେ ତଦନ୍ତ ପରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତାରୋକୋ ହଟିଥିଲା।

ଚିକିତ୍ସାରେ ଅବହେଲା ଅଭିଯୋଗ