ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ଭଞ୍ଜନଗର ଓକିଲ ସଂଘର ନିରନ୍ତର ପ୍ରୟାସକୁ ସାହୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାର ସର୍ଭେ ବହୁ ବର୍ଷ ତଳୁ ହୋଇଥିଲେ ମଧ୍ୟ ସଂଶୋଧନ ପାଇଁ କେତେକ ଅଞ୍ଚଳରେ ପୁଣି ସର୍ଭେ କରାଯିବ ଏବଂ ନିର୍ମାଣ ସୁନିଶ୍ଚିତ ହୋଇଥିବା ସେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ୧୯୭୭ ଲୋକ ସଭା ନିର୍ବାଚନରେ ତତ୍କାଳୀନ ଜାତୀୟ ଯୁବ କଂଗ୍ରେସ ସଭାପତି ରାମଚନ୍ଦ୍ର ରଥ ଗଞ୍ଜାମ ଜିଲା ଆସିକା ଆସନରୁ ନିର୍ବାଚିତ ହୋଇଥିଲେ। ନୂଆ ରେଳପଥ ନିମନ୍ତେ ସେ ଉଦ୍ୟମ କରି ଏହାର ସର୍ଭେ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଥ ୧୯୮୦ ଓ ୧୯୯୧ ନିର୍ବାଚନରେ ମଧ୍ୟ ଆସିକା ଏମ୍‌ପି ହୋଇଥିଲେ ।
ଦୀର୍ଘ ୪୦ ବର୍ଷ ପରେ ବି ଏହି ରେଳପଥ କେବଳ ସର୍ଭେରେ ଅଟକି ଯାଇଥିଲା। ଭଞ୍ଜନଗର ଓକିଲ ସଂଘ ଏହି ପ୍ରସଙ୍ଗ ଉତ୍‌ଥାନ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ତୀବ୍ର ସ୍ବର ଉଠାଇ ଥିଲା। ବିଭିନ୍ନ ସ୍ଥାନର ଓକିଲ ସଂଘକୁ ଏକାଠି କରାଇ ଦାବି ହାସଲର ପଦକ୍ଷେପ ନେଇଥିଲା। ସଂଘ ପକ୍ଷରୁ ବ୍ରହ୍ମପୁର, ଆସିକା ଓ ଫୁଲବାଣୀ ଏମ୍‌ପିଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା । ଫଳରେ ଏହି ଯୋଜନା ସାକାର ହେବାକୁ ଯାଉଛି। ବ୍ରହ୍ମପୁର-ସମ୍ବଲପୁର ସମେତ ସର୍ଭେ କାର୍ଯ୍ୟ ସରିଥିବା ଗୋପାଳପୁର-ରାୟଗଡ଼ା ନୂଆ ରେଳପଥ ନିର୍ମାଣ ଲାଗି ରେଳମନ୍ତ୍ରୀଙ୍କୁ ଦାବି କରାଯାଇଥିବା ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, ବ୍ରହ୍ମପୁର ନିକଟ ଜଗନ୍ନାଥପୁରଠାରୁ ସମ୍ବଲପୁର ନିକଟ ରେଢ଼ାଖୋଲ ପର୍ଯ୍ୟନ୍ତ ୨୪୦ କି.ମି. ଦୈର୍ଘ୍ୟ ଏହି ରେଳ ଲାଇନ ପାଇଁ ୭୩୪.୯୨ ହେକ୍ଟର ଚାଷଜମି ଏବଂ ୩୨୪.୬୩ ହେକ୍ଟର ଜଙ୍ଗଲ ଜମି ଆବଶ୍ୟକ। ଅପରପକ୍ଷରେ ୨୦୦୯ରେ ବ୍ୟୟ ଅଟକଳ ୨୯୫୬.୪୫ କୋଟି ଟଙ୍କା ହିସାବ କରାଯାଇଥିଲା। ତେବେ ଆଗାମୀ ଦିନରେ ସଂଶୋଧିତ ଅଟକଳ ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି। ନିର୍ମାଣ କାର୍ଯ୍ୟ ଜଗନ୍ନାଥପୁରରୁ ଆରମ୍ଭ ହୋଇ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର ଓ ମୁଜାଗଡ଼ ଦେଇ ଫୁଲବାଣୀ ଓ ସେଠାରୁ ବୌଦ୍ଧ ଦେଇ ରେଢ଼ାଖୋଲ ପର୍ଯ୍ୟନ୍ତ ହେବ। ଫଳରେ ରେଳପଥ ନ ଥିବା ଉପରୋକ୍ତ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଅନେକ ଆଦିବାସୀ ଅଧ୍ୟୁଷିତ ବାସିନ୍ଦା ରେଳ ସୁବିଧା ପାଇବେ। ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ।