ହୋହଲ୍ଲାରେ ୬୯୦ କୋଟିର ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ବିଏମ୍‌ସିର ନୂତନ କାର୍ଯ୍ୟାଳୟ ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାରରେ ସୋମବାର କର୍ପୋରେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ପାଇଁ ଚିଠା ବଜେଟ୍‌ ମଞ୍ଜୁର ହେବାକୁ ନିର୍ଦ୍ଧାରିତ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମାତ୍ର ବୈଠକ ଆରମ୍ଭରୁ ଉଭୟ ବିଜେଡି ଓ ଭାଜପା କର୍ପୋରେଟରଙ୍କ ମଧ୍ୟରେ ହଟଗୋଳ ଦେଖିବାକୁ ମିଳିଥିଲା। ତେବେ ହୋ-ହଲ୍ଲା ହଟଗୋଳ ମଧ୍ୟରେ ବି ଚିଠା ବଜେଟ୍‌ ଉପରେ ମୋହର ବାଜିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୬ଶହ ୯୦କୋଟି ୨ଲକ୍ଷ ଟଙ୍କାର ବଜେଟ୍‌କୁ ମଞ୍ଜୁରୀ ମିଳିଛି। ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ ଏହି ବଜେଟକୁ ଉପସ୍ଥାପନା କରିଥିଲେ। ଚଳିତବର୍ଷ ଆୟ ୭ଶହ ୮ କୋଟି ୫୪ଲକ୍ଷ ଟଙ୍କା ହୋଇଥିବାବେଳେ ଏହା ଏକ ସମତୁଲ ଓ ବଳକା ବଜେଟ ବୋଲି ମେୟର କହିଥିଲେ। ଚଳିତ ବଜେଟରେ ନୂଆ ଭାବେ ଭୁବନେଶ୍ୱର ମହାନଗର ନିଗମ ସହ ଯୋଡି ହୋଇଥିବା ଅନୁନ୍ନତ ପଞ୍ଚାୟତର ଭତ୍ତିଭୂମି, ମୌଳିକ ସୁବିଧା ଯେପରିକି – ରାସ୍ତାଘାଟ, ଡ୍ରେନ ଓ ଆଲୋକୀକରଣ ସଂଯୋଗ ଭଳି ସୁବିଧାଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବ। ପ୍ରତି ଓ୍ବାର୍ଡରେ ଓ୍ବାର୍ଡ ଅଫିସ ନିର୍ମାଣ କରାଯିବ। ଏଥିସହ ମହାନଗର ନିଗମରେ ଥିବା ବଡ଼ବଡ଼ ମାର୍କେଟଗୁଡିକର କଳେବର ବୃଦ୍ଧି ସହ ଭେଣ୍ଡିଂ ଜୋନ କରାଯିବ। ୟୁପିଏସ୍‌ସି କନ୍‌ଷ୍ଟ୍ରକ୍‌ସନ୍‌ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି। ଏହାବାଦ୍‌ ଏଥର ବିଶେଷ ଭାବେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବାୟୋମାଇନିଂ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ତେଣୁ ବାୟୋମାଇନିଂ, ବାୟୋ ଗ୍ୟାସ୍‌ ପ୍ଲାଣ୍ଟ ଏବଂ ନିର୍ମାଣଧିନ ଏମ୍‌ସିସିର କାଯର୍ର୍‌ୟ ସମ୍ପୂର୍ଣ୍ଣ କରିବା ଆଦି ଦିଗରେ ଗୁରୁତ୍ୱ ଦିଆଯାଉଛି। ଏହାବାଦ୍‌ ସହରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିବ ବୋଲି ମେୟର ସୂଚନା ଦେଇଛନ୍ତି। ସେହିପିର ଏହାଏକ ସନ୍ତୁଳିତ ବଜେଟ ହୋଇଥିବାରୁ ସମସ୍ତଙ୍କୁ ସୁହାଇବ ବୋଲି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା କହିଛନ୍ତି। ବଜେଟ୍‌ ଅନୁମୋଦନ ପରେ କେତେଜଣ କର୍ପୋରେଟର ନିଜ ନିଜ ଓ୍ବାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ।