ଶିଶୁଙ୍କ ପୁଷ୍ଟିସାଧନ, ମାନସିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଶିଶୁମାନେ ହେଉଛନ୍ତି ଦେଶ ଓ ଜାତିର ଭବିଷ୍ୟତ। ଶିଶୁର ସାମଗ୍ରିକ ବିକାଶ କ୍ଷେତ୍ରରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଅଙ୍ଗନଓ୍ବାଡ଼ି କର୍ମୀ, ସୁପରଭାଇଜର, ଶିଶୁ ସୁରକ୍ଷା ଅଧିକାରୀ ସମସ୍ତେ ସହଯୋଗ କଲେ ପ୍ରତ୍ୟେକ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ଜୀବନ୍ତ ହୋଇ ଉଠିବ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ସୋମବାର ଲକ୍ଷ୍ମୀସାଗରସ୍ଥିତ ହୋମ୍‌ ଏଜୁକେଶନ ଟ୍ରେନିଂ ସେଣ୍ଟରରେ ରାଜ୍ୟସ୍ତରୀୟ ଆଦ୍ୟଶୈଶବ ଯତ୍ନ ଓ ଶିକ୍ଷା ଦିବସ ‘ଅଙ୍କୁର’ ଅନୁଷ୍ଠିତ ହୋଇଥିଲା। ଏହାକୁ ମନ୍ତ୍ରୀ ସାହୁ ଉଦ୍‌ଘାଟନ କରି କହିଲେ, ଶିଶୁଙ୍କ ପୁଷ୍ଟିସାଧନ ସହ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି। ସରକାରଙ୍କ ଉଦ୍ୟମର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।
ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, ଶିଶୁଙ୍କ ପୁଷ୍ଟି ସାଧନ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଶୈଶବର ପ୍ରଥମ ଦୁଇବର୍ଷ ମଧ୍ୟରେ ପ୍ରତ୍ୟେକ ଶିଶୁ ମସ୍ତିଷ୍କର ୮୦ ପ୍ରତିଶତ ବିକାଶ ହୋଇଥାଏ। ଏହାକୁ ଉପଲବ୍ଧି କରି ଜନ୍ମରୁ ୩ବର୍ଷ ମଧ୍ୟରେ ଶିଶୁଙ୍କ ସମନ୍ବିତ ବିକାଶ ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ସଶକ୍ତ କରିବାକୁ ଚେଷ୍ଟା କରାଯାଉଛି। ଆଗାମୀ ଦିନରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଘରକୁ ଘର ଯାଇ ମାତାପିତାଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିବେ ବୋଲି ସଚିବ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ମାତାପିତା ସମ୍ପୃକ୍ତି ମଡ୍ୟୁଲ୍‌, ଶିକ୍ଷା ଓ ଶିକ୍ଷଣ ପୁସ୍ତିକା, ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ଫ୍ଲିପ୍‌ ବୁକ୍‌ ଏବଂ ପୋଷ୍ଟର, ନୂଆ ଅରୁଣିମାର ଦ୍ବିତୀୟ ସଂସ୍କରଣ, ପିଲାଙ୍କ ପାଇଁ ସଚିତ୍ର ପୁସ୍ତିକା ଏବଂ ପ୍ରାକ୍‌ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳନ ହ୍ୟାଣ୍ଡ୍‌ ବୁକ୍‌ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ଶିଶୁଙ୍କ ପାଇଁ ସ୍ବଳ୍ପ ମୂଲ୍ୟର ଖେଳଣା, ଶିକ୍ଷା ଏବଂ ଶିକ୍ଷଣୀୟ ଉପକରଣ ସମ୍ବନ୍ଧୀୟ ଏକ ଆକର୍ଷଣୀୟ ପ୍ରଦର୍ଶନୀ ‘ପ୍ରାରମ୍ଭିକ’କୁ ଉଦ୍‌ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଓପେପାର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ବର୍ନାଡ୍‌ ଭ୍ୟାନ୍‌ଲିନ୍‌ ଫାଉଣ୍ଡେସନ୍‌ର କଣ୍ଟ୍ରିହେଡ୍‌ ମିସ୍‌ ରୁସ୍‌ଦା ମାଜିଦ୍‌, ୟୁନିସେଫ୍‌ କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନିଲେସନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ ସ୍ବାଗତ ଭାଷଣ ଓ ଏମ୍‌ଟିଇଏଲ୍‌ଇପିର ପ୍ରୋଗ୍ରାମ ମ୍ୟାନେଜର ପ୍ରିୟଦର୍ଶିନୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଲକ୍ଷ୍ମୀସାଗର ଅଙ୍ଗନଓ୍ବାଡ଼ି କେନ୍ଦ୍ରର କୁନିକୁନି ଶିଶୁଙ୍କ ଦ୍ୱାରା ପରିବେଷିତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ମୋ ଟିକି ପ୍ରଜାପତି’ ଆକର୍ଷଣୀୟ ହୋଇଥିଲା। ଉତ୍ସବରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଉପସ୍ଥିତ ଥିଲେ।