ପ୍ରୋଷ୍ଟେଟ୍‌ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ(ବିପିଏଚ୍‌) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍‌ ପ୍ରୋଷ୍ଟେଟ୍‌ ଏକ ବୟସ ସମ୍ବନ୍ଧିତ ରୋଗ ହୋଇଥିବାବେଳେ ବୟସ୍କ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଭାରତରେ ୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୬୫% ପୁରୁଷ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଅଧିକାଂଶ ପୁରୁଷ ପ୍ରାଥମିକ ଅବସ୍ଥାରେ ଏହାକୁ ଲୁଚାଉଥିବାରୁ ପରବର୍ତ୍ତୀ ସମୟରେ ଏହା ମାରାତ୍ମକ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ବୟସ୍କ ପୁରୁଷ ସଂଖ୍ୟାରେ ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ରାଷ୍ଟ୍ର। ଏଥିସହ ଏଠାରେ ମଧ୍ୟ ବୟସ୍କ ପୁରୁଷଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି। ଏହି ଶ୍ରେଣୀର ପୁରୁଷମାନେ ସାଧାରଣତଃ ଟାଇପ୍‌-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ, କାଟାରାକ୍ଟ ଏବଂ ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ ତଥା ବିପିଏଚ୍‌ ଦ୍ୱାରା ସୃଷ୍ଟି ହେଉଥିବା ଏକାଧିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି। ବିପିଏଚ୍‌ର ଆକ୍ରାନ୍ତ ପୁରୁଷମାନେ ବାରମ୍ବାର ପରିସ୍ରା ଲାଗିବା, ରାତିରେ ଶୋଇବା ସମୟରେ ପରିସ୍ରା ପାଇଁ ବାରମ୍ବାର ନିଦରୁ ଉଠିବା, ପରିସ୍ରା ସମୟରେ ଦୁର୍ବଳ ପ୍ରବାହ ଓ ପରିସ୍ରା ପରେ ମଧ୍ୟ ସନ୍ତୁଷ୍ଟ ନଲାଗିବା ଭଳି ସମସ୍ୟା ଭୋଗିଥାନ୍ତି ବୋଲି ଭିଏସ୍‌ଏସ୍‌ ମେଡିକାଲ କଲେଜ ସମ୍ବଲପୁର୍‌ର ୟୁରୋଲୋଜିଷ୍ଟ ଡା. ସଞ୍ଜୟ ମହାପାତ୍ର କହିଛନ୍ତି।
ପ୍ରୋଷ୍ଟେଟ୍‌ ସଚେତନତା ମାସ ଅବସରରେ ଆୟୋଜିତ ଏକ ୱେବିନାର୍‌ରେ ସୂଚନା ଦେଇ ଡା. ମହାପାତ୍ର କହିଛନ୍ତି, ବିପିଏଚ୍‌ ଆକ୍ରାନ୍ତ ଅଧିକାଂଶ ରୋଗୀ ନିଜକୁ ସ୍ବାଭାବିକ ଦର୍ଶାଇଥାନ୍ତି। ସେମାନେ ଚୁପ୍‌ଚାପ୍‌ ଏହି ଲକ୍ଷଣଗୁଡିକୁ ସହ୍ୟ କରିଥାନ୍ତି ଓ ସ୍ବାସ୍ଥ୍ୟାବସ୍ଥା ଜଟିଳ ନ ହେବା ପର୍ଯ୍ୟନ୍ତ ତାହାର ମୁକାବିଲା ପାଇଁ ବିଭିନ୍ନ ବିକଳ୍ପ ଆପଣାଇଥାନ୍ତି। ମାତ୍ର ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହା ଘାତକ ସାବ୍ୟସ୍ତ ହୋଇଥାଏ। ରିକରେଣ୍ଟ୍‌ ଆକ୍ୟୁଟ୍‌ ୟୁରିନାରି ରିଟେନ୍‌ଶନ(ପରିସ୍ରା କରିବାରେ ହଠାତ୍‌ ଯନ୍ତ୍ରଣାଦାୟକ ଅସାମର୍ଥତା), ରିକରେଣ୍ଟ୍‌ ୟୁରିନାରି ଇନ୍‌ଫେକ୍ସନ, ଷ୍ଟୋନ୍‌ ହେବା, ଏପରିକି ଉଭୟ କିଡ୍‌ନି କ୍ଷତିଗ୍ରସ୍ତ କିମ୍ବା ଫେଲ୍‌ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକାଂଶ ମାମଲାରେ ସର୍ଜରୀ ପରେ ମଧ୍ୟ ସମସ୍ୟା କମି ନ ଥାଏ। ଫଳରେ ରୋଗୀଙ୍କୁ ସାରା ଜୀବନ କ୍ୟାଥେଟେରିଜେଶନ କିମ୍ବା ଡାଇଲିସିସ୍‌ରେ ରଖିବାକୁ ପଡିପାରେ। ଶାରୀରିକ ଲକ୍ଷଣ କିମ୍ବା ରେଡିଓଗ୍ରାଫିକ୍‌ ପରୀକ୍ଷଣ ଓ କିଛି ଲ୍ୟାବ୍‌ ଟେଷ୍ଟରୁ ବିପିଏଚ୍‌ ଚିହ୍ନଟ କରାଯାଇଥାଏ। ତେବେ ସୁସ୍ଥ ଜୀବନଶୈଳୀ ଓ ଅଭ୍ୟାସକୁ ଆପଣାଇବା ଓ କମ୍‌ ଔଷଧ ସେବନ କରି ବିପିଏଚ୍‌କୁ ଭଲ କରାଯାଇପାରିବ। ଲକ୍ଷଣଗୁଡିକ ଅନିୟନ୍ତ୍ରିତ ହେଲେ କିମ୍ବା ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଲେ ପ୍ରୋଷ୍ଟାଟିକ୍‌ ଟିସୁକୁ ସର୍ଜରୀ ମାଧ୍ୟମରେ ବାହାର କରିବା ଜରୁରୀ ହୋଇଥାଏ ବୋଲି ଡା. ମହାପାତ୍ର କହିଛନ୍ତି।