ପଦୋନ୍ନତି ପାଇବେ ୬୩,୩୦୩ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ। ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ। ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡ଼ିକ ମଧ୍ୟ ପୂରଣ ହେବ। ଶିକ୍ଷକ ପଦବର ପୂରଣ ହେବା ଦ୍ବାରା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପରିଚାଳନା ସହିତ ଶୈକ୍ଷିକ ପରିବେଶରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭଲ-୪କୁ ପଦୋନ୍ନତି ପାଇବେ। ଏହାସହିତ ଲେଭଲ ୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ସୁଦ୍ଧା ଲେଭଲ-୩ କୁ ପଦୋନ୍ନତି ପାଇବେ। ଲେଭଲ-୫(ବି)ରେ ଥିବା ସହକାରୀ ଶିକ୍ଷକମାନଙ୍କ ପାଇଁ ରେସିଡେନ୍ସି ପିରିୟଡକୁ ୧ ବର୍ଷରୁ ୬ ମାସ କରାଯାଇଥିବା ବେଳେ ଲେଭଲ-୪ରୁ ଲେଭଲ-୩କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସି ପିରିୟଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୯ରେ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡର ପୁନର୍ଗଠନ କରାଯାଇ ଲେଭଲ-୪ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭଲ-୩ରେ ଥିବା ୯୩୦୫ ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଦୋନ୍ନତି ପାଇବାକୁ ଯାଉଥିବା ସମସ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।