ପାଟଣା, ୨୯।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀକୂଳ ବିଲ ନିକଟରେ ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏରେଣ୍ଡେଇ ଗ୍ରାମର ରେଙ୍ଗାଳବେଡ଼ା ସାହିର ପରବାସିଆ ମହାନ୍ତ।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏରେଣ୍ଡେଇ ଗ୍ରାମ ନିକଟ ବୈତରଣୀ ନଦୀକୂଳରେ ୨୯ ଟିକିଆ ବଣୁଆ ହାତୀପଲ ଅବସ୍ଥାନ କରୁଥିଲେ। ଏହି ସମୟରେ ପରବାସିଆ ନିଜ ବିଲରେ ଧାନ ଫସଲ ଜଗିଥିଲେ। ତେବେ ଅନ୍ଧାରରେ ହଠାତ୍ ଏକ ଦନ୍ତା ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ଦନ୍ତା ହାତୀଟି ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପାଟଣା ବନପାଳ ନଗେନ୍ଦ୍ର ଜେନା, ଖିରେଇଟାଙ୍ଗିରି ବନପାଳ ପିଅନ ନାଏକ ଓ ମଲ୍ଲିପୋଶି ବନରକ୍ଷୀ ଲକ୍ଷ୍ମୀକାନ୍ତ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀମାନେ ଗୁରୁତର ପରବାସିଆଙ୍କୁ ନିଜ ଗାଡ଼ିରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଅର୍ଣ୍ଣବ ସାହୁ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।