Categories: ରାଜ୍ୟ

ମହିଳାଙ୍କ ପାଇଁ ୬୧୩ ଓ୍ବାର୍ଡ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରଗରମ ରହିଥିବା ବେଳେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବୁଧବାର ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ରହିଛି। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ। ସେହିପରି ଅନୁସୂଚିତ ଜନଜାତି ପାଇଁ ୪୯ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି। ତେବେ ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଛି।

ଜାନୁୟାରୀ ୩୧ରେ ରାଜ୍ୟ ସରକାର ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ। ଇତିମଧ୍ୟରେ ରାଜ୍ୟ ସରକାର ୩ଟି ମହାନଗର ନିଗମର ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଥିବା ବେଳେ ଜିଲା ନିର୍ବାଚନ ଅଧିକାରୀ ୪୮ ମ୍ୟୁନିସିପାଲିଟି, ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପରେ ଏପ୍ରିଲ ମାସ ବେଳକୁ ପୌର ନିର୍ବାଚନ ହେବା ନେଇ ଆଲୋଚନା ହେଉଛି। ଆସନ୍ତା ପୌର ନିର୍ବାଚନରେ ଇଭିଏମ୍‌ରେ ଭୋଟ ଗ୍ରହଣ କରାଯିବ। ଏଥର ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଲୋକେ ଭୋଟ ଦେବେ। ସେଥିପାଇଁ ଗୋଟିଏ ବୁଥ୍‌ରେ ୨ଟି ଇଭିଏମ୍‌ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୧ ହଜାର ଇଭିଏମ୍‌ ଦରକାର। ଇଭିଏମ୍‌ଗୁଡ଼ିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଛି ଏବଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।