Categories: ଜାତୀୟ

ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ

ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କର ଯକ୍ଷ୍ମା ଓ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସରକାରୀ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ରୋଗକୁ ନେଇ ସେଠାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଟିମ୍‌ ଉକ୍ତ ଅଞ୍ଚଳକୁ ଗସ୍ତରେ ଯାଇ ଅନୁଧ୍ୟାନ କରିବା ସତ୍ତ୍ୱେ ରୋଗର ମୂଳ କାରଣ ଖୋଜି ପାଇବାରେ ବିଫଳ ହୋଇଛନ୍ତି। ମାଛ କିମ୍ବା ପନିପରିବାରେ ଥିବା ପ୍ରଦୂଷକ ସାମଗ୍ରୀ ସିସା ଓ କୀଟନାଶକ ରୋଗର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଥିବାବେଳେ ଦୁଗ୍ଧ ଓ ଡାଏରୀ ଉତ୍ପାଦକୁ ଅନ୍ୟ କେତେକ କାରଣ ଭାବେ ଦେଖୁଛନ୍ତି। ପନିପରିବା, ଫଳ, ମୃତ୍ତିକା ଆଦି ସମସ୍ତ ସମ୍ଭାବ୍ୟ ଉତ୍ସକୁ ମଧ୍ୟ ପରୀକ୍ଷାନିରୀକ୍ଷା କରାଯାଉଛି ବୋଲି ଆନ୍ଧ୍ର ସ୍ବାସ୍ଥ୍ୟ କମିଶନର କେ. ଭାସ୍କର କହିଛନ୍ତି। ଲାବରେଟୋରୀ ତଥ୍ୟରେ ପନିପରିବା ଓ ମାଛ ବିଷାକ୍ତ ପ୍ରଦୂଷକର ସମ୍ଭାବ୍ୟ ଉତ୍ସ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଲାବରେଟୋରୀ ରିପୋର୍ଟ ଏବଂ ଜଳ ଓ ବାୟୁ ପ୍ରଦୂଷଣ ତଥ୍ୟର ବୈଜ୍ଞାନିକ ଅନୁଧ୍ୟାନ କରାଯାଇଥିଲା। ଜଳ ଓ ବାୟୁ ନମୁନାରେ ଭାରୀ ଧାତୁ ନ ଥିବା ଉକ୍ତ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ମ୍ୟୁନିସିପାଲିଟି ପାଣି ଉପଲବ୍ଧ ହେଉ ନ ଥିବା ଅଞ୍ଚଳରେ ମଧ୍ୟ ଲୋକେ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।
ରୋଗୀଙ୍କ ରକ୍ତ ନମୁନାରେ ସିସା ଓ ନିକେଲ ଅଧିକ ପରିମାଣରେ ଥିବା ପରୀକ୍ଷାରୁ ଜଣାପଡିଛି। ଯଦି ଏହିସବୁ ପଦାର୍ଥ ପାଣି କିମ୍ବା ବାୟୁରେ ନାହିଁ, ତେବେ ଖାଦ୍ୟ ମାଧ୍ୟମରେ ଏହା ରୋଗୀଙ୍କ ରକ୍ତକୁ ଯାଉଥିବା ଗବେଷକମାନେ କହିଛନ୍ତି। ଶାଗ ଓ ସବୁଜ ପନିପରିବା ଏବଂ ମାଛ ମାଟିରୁ ବାୟୋଆକ୍ୟୁମୁଲେଶନ ପ୍ରକ୍ରିୟାରେ ଭାରୀ ଧାତୁ ଓ କୀଟନାଶକ ସଂଗ୍ରହ କରିଥାନ୍ତି। ସେହିପରି କ୍ରିଷ୍ଣା ଓ ଗୋଦାବରୀ ନଦୀ ଅବବାହିକାରୁ ସଂଗୃହୀତ ମାଛରେ ମଧ୍ୟ ଭାରୀ ଧାତବ ପଦାର୍ଥ ଓ କୀଟନାଶକ ଅବଶେଷ ରହିଥିବା ପରୀକ୍ଷାରୁ ଜଣାପଡିଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିଶନ (ଏନ୍‌ଆଇଏନ୍‌) ପନିପରିବା ନମୁନାର ପରୀକ୍ଷା ଚଳାଇଥିଲା। ଏହାର ରିପୋର୍ଟ ରୋଗର ରହସ୍ୟ ସମାଧାନ କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି।
ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତରେ ସିସା ପରିମାଣ ହ୍ରାସ ପାଉଛି। ଏହା ଦୀର୍ଘକାଳୀନ ସମସ୍ୟା ନୁହେଁ ବୋଲି ଏଥିରୁ ସୂଚନା ମିଳୁଥିବା ସରକାର କହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ରୋଗର କାରଣ ଜାଣିବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ବିଭାଗରୁ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଢ଼ିଛନ୍ତି। ପୁଣେର ଏନ୍‌ଆଇଭି, ଦିଲ୍ଲୀ ଏମ୍ସ ସମେତ କେତେକ ଗବେଷଣା ସଂସ୍ଥା ମ୍ୟୁନିସିପାଲିଟି ପାଣି ସମେତ ଫଳ, ପନିପରିବା, ମାଛ ଆଦି ନମୁନା ପରୀକ୍ଷା କରିଥିଲେ।

Share