ଏକାଠି ହେଲେ ୬୦ହଜାର ଜନଜାତି ଅଭିଭାବକ

ଭୁବନେଶ୍ୱର, ୨୩।୧(ବ୍ୟୁରୋ): କିସ୍‌ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩୦ ଜିଲାରୁ ୬୦ହଜାର ଅଭିଭାବକ ଯୋଗଦେଇଥିଲେ। ତେବେ ଅଭିଭାବକ, ପୁରାତନ ଛାତ୍ରୀଛାତ୍ର ଓ ବର୍ତ୍ତମାନର ଛାତ୍ରୀଛାତ୍ରଙ୍କୁ ମିଶାଇ ମୋଟ ୧ଲକ୍ଷ ଜନସମାଗମ ହୋଇଥିଲା। ଅଭିଭାବକମାନେ ସୁରୁଖୁରୁରେ ସେମାନଙ୍କ ପିଲାଙ୍କ ଭଲମନ୍ଦ ବୁଝିବା ପାଇଁ କିସ୍‌ ପରିସରରେ ଜିଲାୱାରୀ ଷ୍ଟଲ୍‌ ଖୋଲାଯାଇଥିଲା। ଅଭିଭାବକଙ୍କୁ ସମ୍ବୋଧିତ କରି କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିସ୍‌ର ଅଧ୍ୟୟନରତ ଓ ପୁରାତନ ଛାତ୍ରୀଛାତ୍ରଙ୍କୁ ମିଶାଇ ମୋଟ ୭୦ହଜାର ଛାତ୍ରୀଛାତ୍ର ଓଡ଼ିଶାର ଜନଜାତି ଅଧ୍ୟୁଷିତ ଗାଁଗୁଡ଼ିକରେ ଶିକ୍ଷାର ବାର୍ତ୍ତାବହ ପାଲଟିଛନ୍ତି। କିସ୍‌ ସମଗ୍ର ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସାମନ୍ତ କହିଥିଲେ। ଏହି ଅବସରରେ ସେ ସମସ୍ତ ଅଭିଭାବକ ସର୍ବୋପରି ଜନଜାତି ଲୋକଙ୍କ ସହଯୋଗ କାମନା କରିଥିଲେ। ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସାମୁହିକ ମଧ୍ୟାହ୍ନ ଭୋଜନ। ୧ଲକ୍ଷ ଲୋକ କିସ୍‌ରେ ଏକାଠି ମଧ୍ୟାହ୍ନ ଭୋଜନ କରିବା ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା। କିସ୍‌ ଓ କିଟ୍‌ର ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର୍‌. ଏନ୍‌. ଦାଶ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି. କେ. ରାଉତରାୟ ଓ ରାଜ୍ୟସଭା ସଦସ୍ୟ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଭାର ମହାସଚିବ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।
ଅଭିଭାବକମାନେ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି କହିଲେ, ସେ କିସ୍‌ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରି ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇପାରିଛନ୍ତି। କିସ୍‌କୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିବା ସହ ପଢ଼ୁଥିବା ପ୍ରତ୍ୟେକ ପିଲାଙ୍କୁ ଜଣେ ଜଣେ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି। ସାମନ୍ତଙ୍କୁ ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଜନଜାତି ଅଭିଭାବକମାନେ ଧନ୍ୟବାଦ ଜଣାଇବା ସହ ପ୍ରତି ଜିଲାରେ ତାଙ୍କୁ କୃତଜ୍ଞତା ଜଣାଇବେ ବୋଲି ଘୋଷଣା କରିଥିଲେ। ସେମାନଙ୍କ ପିଲାମାନେ କିସ୍‌ରେ ରହି ଉନ୍ନତମାନର ଶିକ୍ଷା ଲାଭ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରୁଥିବାରୁ ଅଭିଭାବକମାନେ ଖୁସି ବ୍ୟକ୍ତ କରିଥିଲେ।