୬୦ ପ୍ରତିଶତ ଜମିରେ ହୋଇନି ତଳିରୁଆ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଜୁନ୍‌ରେ ନିଅଣ୍ଟିଆ ରହିଲା, ମୌସୁମୀ ବର୍ଷା ଯେତିକି ହେବା କଥା ସେତିକି ହେଲାନାହିଁ। ସ୍ବାଭାବିକଠାରୁ ପ୍ରାୟ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିିଲା। ନିଅଣ୍ଟିଆ ବର୍ଷା ଯୋଗୁ ଜିଲାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜୁଲାଇରେ ମଧ୍ୟ ସମାନ ସ୍ଥିତି। ଆବଶ୍ୟକ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ପିଛା ଛାଡ଼ୁ ନ ଥିବାବେଳେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀର ମେରୁଦେଣ୍ଡ ଦୋହଲିଗଲାଣି। ବିଳମ୍ବିତ ମୌସୁମୀ ଯୋଗୁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଜୁନ୍‌ ସରିଲା। ଜୁଲାଇରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ସ୍ବାଭାବିକଠାରୁ କମ୍‌ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି। ଜୁଲାଇ ସୁଦ୍ଧା ୩୦୪ ମିମି ବର୍ଷା ହେବାର ରେକର୍ଡ ଲକ୍ଷ୍ୟ ରହିଥିବାବେଳେ ୨୫ ତାରିଖ ସୁଦ୍ଧା ୨୪୦ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ଜୁଲାଇ ଶେଷହେବାକୁ ଆସୁଥିବାବେଳେ ୨୨ ପ୍ରତିଶତ କମ୍‌ ରହିଛି। ପାଣିପାଗ ଅନୁମାନ ଚାଷୀକୁଳ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଜୁଲାଇରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଜୁନର ନିଅଣ୍ଟିଆ ବର୍ଷାର ଭରଣା ଜୁଲାଇରେ ହେବ ବୋଲି ଚାଷୀ ଆଶା କରିଥିଲେ। ତେବେ ଚାଷୀଙ୍କ ସବୁ ଆଶା ଫସର ଫାଟିଗଲା। ଆଗକୁ ବର୍ଷା ସ୍ବାଭାବିକ ନ ହେଲେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ଏବେ ନିଅଣ୍ଟିଆ ବର୍ଷା ଲାଗି ରହିଛି। ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଲଘୁଚାପ ବର୍ଷା ଚାଷୀଙ୍କ ମୁଖରେ ହସ ଫୁଟାଇଥିଲା। ପରେ ସ୍ବଳ୍ପବୃଷ୍ଟି କାରଣରୁ ଚାଷୀର ଆଶା ମଉଳିଗଲା। ସାଧାରଣତଃ ଜୁନ ତୃତୀୟ ସପ୍ତାହଠାରୁ ବର୍ଷା ଆରମ୍ଭ ହୋଇ ଜୁଲାଇରେ ୧୫ରୁ ୨୦ଦିନ ବର୍ଷା ହୋଇଥାଏ। ଏହି ସମୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଏ। ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ବାଭାବିକ ଠାରୁ କମ୍‌ ପରିମାଣ ବର୍ଷା ଅର୍ଥାତ ମାତ୍ର ୫୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିବା ବେଳେ ଦ୍ୱିତୀୟ ସପ୍ତାହ ସୁଦ୍ଧା ୫୧ ପ୍ରତିଶତ ବର୍ଷା ହୋଇଥିଲା। ଜୁନ ପ୍ରଥମ ସପ୍ତାହରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨ୟ ଓ ୩ୟ ସପ୍ତାହରେ କମ୍‌ ହୋଇଥିଲା। ଜୁନ ଶେଷ ସୁଦ୍ଧା ହାରାହାରି ୧୨୬.୬ ମିମି ବର୍ଷା ହୋଇଥିଲା। ତେବେ ଜୁଲାଇ ସରିବାକୁ ଦୁଇଦିନ ରହିଥିବା ବେଳେ ସ୍ବାଭାବିକ ବର୍ଷାଠାରୁ କମ୍‌ ବର୍ଷା ଚାଷୀଙ୍କ ମୁଖରୁ ପୁଣି ଥରେ ହସ ଛଡାଇନେଇଛି। ଜଳସେଚିତ ଜମିକୁ ବାଦ ଦେଲେ ଢିପ ଜମିରେ ବୁଣାବୁଣି ଓ ମଧ୍ୟମ ଜମିରେ ତଳି ପକାଇବା ପାଇଁ ବର୍ଷା ଯଥେଷ୍ଟ ନୁହେଁ। ପୁଣି ଆଗାମୀ ସପ୍ତାହ ଯାଏ ଭଲ ବର୍ଷାର ସମ୍ଭାବନା ନ ଥିବାରୁ ବୁଣାବୁଣି ବିଳମ୍ବ ହେବ।
କୃଷି ବିଭାଗ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲାରେ ୬୦ ପ୍ରତିଶତ ଜମିରେ ତଳି ରୁଆ ହୋଇପାରିନାହିଁ। ଜଳସେଚିତ ଜମିରେ ବୁଣାକାମ ସରିଥିବାବେଳେ ଅଣଜଳସେଚିତ ଜମିରେ ବର୍ଷା ଅଭାବରୁ ତଳି ପୋଡ଼ିଗଲାଣି। ୧ଲକ୍ଷ ୨୦ ହଜାର ୧୫୦ ହେକ୍ଟର ଚାଷଜମି ରହିଛି। ଚଳିତ ଖରିଫ ଋତୁରେ ୧ଲକ୍ଷ ୩ହଜାର ୧୬୦ ହେକ୍ଟର ଜମିରେ ଧାନ ଫସଲ ଅମଳ ଲକ୍ଷ୍ୟ ରଖିଛି କୃଷି ବିଭାଗ। ତନ୍ମଧ୍ୟରୁ ୧୭ ହଜାର ୪୭୫ ହେକ୍ଟର ଢିପ, ୪୩ ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଲ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଦୟା, ମଲାଗୁଣୀ, ରଣ ପ୍ରଭୃତି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ। ଜିଲାବ୍ୟାପୀ ପ୍ରାୟ ୫୬,୭୨୧ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ତେବେ ଜୁଲାଇ ୨୫ ସୁଦ୍ଧା ୩୯,୯୬୨ ହେକ୍ଟର ଚାଷଜମିରେ ଧାନଚାଷ ହୋଇଛି। ଏହାର ପରିମାଣ ୩୮ ପ୍ରତିଶତ। ବଳକା ଜମିରେ ତଳିପକା ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି।
ଗତ ଦୁଇବର୍ଷ ଧରି ସ୍ବାଭାବିକଠାରୁ କମ୍‌ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଯେନତେନ ପ୍ରକାରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ବାତ୍ୟା ଯୋଗୁ ଜମିରେ ପାଚିଲା ଧାନ ପଚିଶଢ଼ି ନଷ୍ଟ ହୋଇଥିଲା। ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି। କେନାଲରେ ପାଣି ନାହିଁ। ଆଗକୁ ମୌସୁମୀ ବର୍ଷା ନ ହେଲେ ଧାନ ଗଜା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜଳସେଚନ ଅଭାବରୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଚାଷୀଙ୍କ ମହଲରୁ ବାରମ୍ବାର ଦାବି ସତ୍ତ୍ୱେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri