ଷଣ୍ଢ ପେଟରୁ ବାହାରିଲା ୬୦ କିଗ୍ରା ପଲିଥିନ୍‌

ବାଙ୍କୀ, ୯ା୨(ସ୍ବ.ପ୍ର.): ବାଙ୍କୀ ସହର ଅଞ୍ଚଳରେ ଏକ ବୁଲା ଷଣ୍ଢ ଅସୁସ୍ଥ ଅବସ୍ଥାରେ ପଡିଥିବାରୁ ତାର ପେଟକୁ ଅପରେଶନ କରାଯାଇ ୬୦କେଜିରୁ ଊର୍ଦ୍ଧ୍ୱ ପଲିଥିନ ବୁଧବାର ବାହାର କରାଯାଇଛି। ସୂଚନାଯୋଗ୍ୟ ବାଙ୍କୀ ସହରର ଗୋଟିଏ ବୁଲା ଷଣ୍ଢ ସପ୍ତାହେ ହେଲା ଖିଆପିଆ ବନ୍ଦ କରି ଅସୁସ୍ଥ ହୋଇ ପଡିରହିଥିଲା। ବୁଧବାର ମା’ଚର୍ଚ୍ଚିକା ଗୋ ସେବା କେନ୍ଦ୍ରର ରାଜେଶ କୁମାର ରଣା, କାଉନସିଲର ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ଗୋ ସେବକମାନେ ଅସୁସ୍ଥ ଷଣ୍ଢଟିକୁ ଗୋଶାଳକୁ ଆଣି ତା’ର ସେବା କରୁଥିଲେ। ଖବର ପାଇଁ ଓଡ଼ିଶା କୃଷି ଭେଷଜ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଶଲ୍ୟ ଚିକିତ୍ସକ ଡା. ସଦାନନ୍ଦ ନାୟକ ତାଙ୍କର ସହଯୋଗୀଙ୍କ ସହ ମା’ଚର୍ଚ୍ଚିକା ଗୋ ସେବା କେନ୍ଦ୍ରକୁ ଆସି ଅସୁସ୍ଥ ଷଣ୍ଢଟିର ପେଟ ଅପରେଶନ୍‌ କରି ପ୍ରାୟ ୬୦ କେଜିରୁ ଊର୍ଦ୍ଧ୍ୱ ପଲିଥିନ୍‌ ଓ ଆବର୍ଜନା ଜିନିଷ ବାହାର କରିଥିଲେ। ଷଣ୍ଢଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଖବର ପାଇଁ ପ୍ରେସ୍‌କ୍ଲବ ସଭାପତି ବଳଭଦ୍ର ପଣ୍ଡା ଓ ପରିବେଶବିତ୍‌ ଦୀପକ୍‌ କୁମାର ସାମନ୍ତରା ଗୋସେବା କେନ୍ଦ୍ରର ସେବକମାନଙ୍କୁ ପ୍ରଶଂସା କରିଥିଲେ। ବାଙ୍କୀ ବଜାରର ବ୍ୟବସାୟୀମାନେ ବାହାରେ ପଲିଥିନ୍‌ ଜରି କିମ୍ବା ଅନ୍ୟ ଆବର୍ଜନା ଜିନିଷ ରାସ୍ତା ଉପରେ ନ ପକାଇ ଡଷ୍ଟପିନ ପକାଇବାକୁ ଗୋଶାଳାର କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି।