ଭଉଣୀ ଆଗରେ ୮ବର୍ଷର ଭାଇଙ୍କୁ ହାଣି ହତ୍ୟା

କଣ୍ଟାବାଞ୍ଜି,୨୦ା୫: ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ପଣ୍ଡରେନ ଗାଁର ଜଣେ ନାବାଳକଙ୍କୁ ସେହି ଗାଁର ଜଣେ ବ୍ୟକ୍ତି ଗୁରୁବାର ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ ଜୟରାମ ଗହୀରଙ୍କ ପୁଅ ପରମେଶ୍ୱର(୮)। ସକାଳେ ନାବାଳିକା ଭଉଣୀ ଟିକେମନୀ(୧୨)ଙ୍କ ସହ ପଣ୍ଡରେନ-ଜାମକି ରାସ୍ତାପାର୍ଶ୍ୱ ଚାଷଜମିରେ ପରମେଶ୍ୱର ମହୁଲ ଟୋଲ ଗୋଟାଉ ଥିବାବେଳେ ଗାଁ ର ଜିତେନ ପୋଢ(୫୧) ଟାଙ୍ଗିଆରେ ହାଣି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। କୌଣସିମତେ ଘଟଣାସ୍ଥଳରୁ ଦୌଡି ପଳାଇ ଟିକେମନୀ ଜୀବନ ବଞ୍ଚାଇଛନ୍ତି। ଟିକେମନୀଙ୍କଠାରୁ ଖବର ପାଇ ଗାଁ ମୁଣ୍ଡରେ ହଳ କରୁଥିବା ଜୟରାମ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ କ୍ଷେତରେ ପଡି ରହିଥିଲା। କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର, ବଲାଙ୍ଗୀର ସାଇଣ୍ଟିଫିକ ଟିମ୍‌, ତୁରେକେଲା ଥାନା ଆଇଆଇସି କମଲ ଲୋଚନ ବେହେରା, ସବ୍‌ଇନ୍ସପେକ୍ଟର ଦୀପକ କୁମାର ଡୁଙ୍ଗଡୁଙ୍ଗ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ନିକଟସ୍ଥ ଜାମକି ଜଙ୍ଗଲରୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଛି। କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏ ନେଇ ଦଫା ୩୦୭, ୩୦୨ରେ ଏକ ମାମଲା(ନଂ.୩୬/୨୧) ରୁଜୁ କରି ଘଟଣାର ଅଧିକ ଅନୁସନ୍ଧାନ ଚାଲିଥିବା ଆଇଆଇସି ବେହେରା କହିଛନ୍ତି। ଜୟରାମଙ୍କ ସହ ଅଭିଯୁକ୍ତଙ୍କ ଘରବାଡି ବିବାଦ ଥିଲା। ଏହି କାରଣରୁ ପ୍ରତିଶୋଧ ନେବା ପାଇଁ ଜୀତନ ଏଭଳି କାଣ୍ଡ କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।