ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର ଅନୁସନ୍ଧାନମୂଳକ ରିପୋର୍ଟ ଅନୁଯାୟୀ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅନେକ ଛୋଟ ରାଜନୈତିକ ଦଳ ବହୁତ ବଡ଼ ରାଶିର ଦାନ ପାଇଥିଲେ।
ପୂର୍ୱରୁ ସାଧାରଣରେ ଏହା ଜଣା ନ ଥିଲା ଯେ, ୬ଟି ରେଜିଷ୍ଟର୍ଡ ଅନ୍-ରେକଗ୍ନାଇଜ୍ଡ ପଲିଟିକାଲ ପାର୍ଟିଜ୍ (ଆର୍ୟୁପିପି) ପାଖରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭୦୦.୭୮ କୋଟି ଟଙ୍କା ଠୁଳ ହୋଇଛି। ସେହି ଦଳଗୁଡ଼ିକ ହେଲା- ଆମ୍ ଜନମତ ପାର୍ଟି, ସତ୍ୟବାଦୀ ରକ୍ଷକ ପାର୍ଟି, ସ୍ୱତନ୍ତ୍ରତା ଅଭିବ୍ୟକ୍ତି ପାର୍ଟି, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍ ପାର୍ଟି, ଭାରତୀୟ ନ୍ୟାଶନାଲ ଜନତା ଦଳ ଏବଂ ଗରିବ କଲ୍ୟାଣ ପାର୍ଟି। ଏସବୁ ଦଳର ମୁଖ୍ୟାଳୟ ଗୁଜରାଟରେ ରହିଛି, ଯେଉଁଥିରୁ ୫ଟି ଅହମଦାବାଦ ଏବଂ ଗୋଟିଏ ଆନନ୍ଦରେ ଅଛି।
ରିପୋର୍ଟ ଅନୁଯାୟୀ, ଏହି ୬ଟି କ୍ଷୁଦ୍ର ଦଳକୁ ୨୦୨୪ ଲୋକ ସଭା ନିର୍ୱାଚନ ପୂର୍ୱରୁ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୭୦୦.୭୮ କୋଟି ଟଙ୍କା ଦାନ ଆକାରରେ ମିଳିଥିଲା। ସେଥିରୁ ଆମ୍ ଜନମତ ପାର୍ଟିକୁ ୬୨୦.୨୪ କୋଟି, ସତ୍ୟବାଦୀ ରକ୍ଷକ ପାର୍ଟିକୁ ୩୩୦.୫୫, ସ୍ୱତନ୍ତ୍ରତା ଅଭିବ୍ୟକ୍ତି ପାର୍ଟିକୁ ୨୧୯.୬୯, ନ୍ୟୁ ଇଣ୍ଡିଆ ୟୁନାଇଟେଡ୍ ପାର୍ଟିକୁ
୨୦୦.୬୯, ଭାରତୀୟ ନ୍ୟାଶନାଲ ଜନତା ଦଳକୁ ୧୯୧.୬୧ ଏବଂ ଗରିବ କଲ୍ୟାଣ ପାର୍ଟିକୁ ୧୩୮.୦୦ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଦେଖିବାକୁ ଗଲେ ଉପରୋକ୍ତ ୬ଟି ଦଳ ପାଇଥିବା ମୋଟ ଚାନ୍ଦା କେବଳ ଭାଜପାକୁ ଛାଡ଼ିଦେଲେ ଅନ୍ୟ ୫ଟି ଜାତୀୟ ଦଳଙ୍କ ମିଶ୍ରିତ ପାଣ୍ଠିରୁ ଅଧିକ।
କୌତୂହଳର ବିଷୟ ଯେ, ଏହି ଦଳଗୁଡ଼ିକ ମୁଖ୍ୟତଃ ନିର୍ୱାଚନୀ ରାଜନୀତିରୁ ଦୂରେଇ ରହିଥିଲେ। ଏହି ଦଳଗୁଡ଼ିକ ୨୦୨୪ ଲୋକ ସଭା ନିର୍ୱାଚନରେ ମାତ୍ର ୧୫ ଜଣ ପ୍ରାର୍ଥୀ ଦେଇଥିଲେ। ତେବେ ଆମ୍ ଜନମତ ପାର୍ଟି ୨୦୨୨-୨୩ରେ ୨୧୬ କୋଟି ଟଙ୍କା ଚାନ୍ଦା ପାଇଥିବା ବିବିସି ହିନ୍ଦୀ ରିପୋର୍ଟରୁ ଜଣାପଡ଼ିଛି। ବିଶେଷଜ୍ଞମାନେ କହନ୍ତି ଯେ, ଏହି ଦଳଗୁଡ଼ିକ ବାସ୍ତବରେ ସ୍ୱାଧୀନ ରାଜନୈତିକ ସଙ୍ଗଠନ ନୁହେଁ; ବରଂ ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାରରେ ନିୟୋଜିତ ଅଛନ୍ତି। ଯେହେତୁ ଏହିସବୁ ଦଳଗୁଡ଼ିକ ଗୁଜରାଟରେ ପଞ୍ଜୀକୃତ, ସନ୍ଦେହ କରାଯାଉଛି ଯେ ଗୋଟିଏ ବଡ଼ଦଳର ପ୍ରକ୍ସି ଭାବେ ଏଗୁଡ଼ିକ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ରେ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍ସିପିଆଇ)ରେ ତୃଣମୂଳ କଂଗ୍ରେସର ୨୦ ଏମ୍ପି ସାମିଲ ହୋଇଥିଲେ। ଏଭଳି ଛୋଟିଆ ପାର୍ଟିରେ ଏମ୍ପିଙ୍କ ଯୋଗଦାନରୁ ଜଣାପଡ଼ିଲା ଯେ ଉକ୍ତ ଦଳ ନିର୍ୱାଚନ କମିଶନଙ୍କ ପାଖରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଅଣସ୍ୱୀକୃତ ଦଳ ଭାବେ ରହିଛନ୍ତି।