ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ଜୀବନ୍ତ ଦଗ୍ଧ: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ରାୟଗଡ଼ା ଅଫିସ/ଗୁଣପୁର,୩୦ା୭(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ଅନ୍ତର୍ଗତ ଲଙ୍କାଭାନିଦିବା ଗ୍ରାମର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଶା କଏଲ୍‌ରୁ ଅଗ୍ନିକାଣ୍ଡ ଘଟି ସେଠାରେ କାମ କରୁଥିବା ଓଡ଼ିଶାର ୬ ଦାଦନ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳର ୫ ଜଣ ଏବଂ ଗଜପତି ଜିଲାର ଜଣେ ଶ୍ରମିକ ରହିଛନ୍ତି। ମୃତକମାନେ ହେଲେ ଗୁଣପୁର ବ୍ଲକ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବରଙ୍କ ସମେତ ଗୁଣପୁର ସହର ମୋତିଲାଲ ନଗରର ନବୀନ ଶବର ଏବଂ ଗଜପତି ଜିଲା ରାୟଗଡ଼ ବ୍ଲକ ସାନତୁଣ୍ଡି ଗ୍ରାମର ମହେନ୍ଦ୍ର ଶବର। ମହେନ୍ଦ୍ର ନାବାଳକ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ୬ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି।