ଦୋକାନୀଙ୍କଠାରୁ ୬ ଲକ୍ଷର ସୁନାଗହଣା ଲୁଟ୍‌: ବର୍ଷକରେ ୮ଥର ଲୁଟ୍‌ର ଶିକାର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ରାତି ହେଲେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ପୋଲିସର କଡ଼ା ପାଟ୍ରୋଲିଂ ସତ୍ତ୍ୱେ ଗୁରୁବାର ରାତିରେ ଶତାବ୍ଦୀ ନଗରସ୍ଥିତ ଡେଲ୍ଟା ଛକ ନିକଟରେ ଜଣେ ସୁନା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ୬ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକ୍ରମେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶତାବ୍ଦୀ ନଗରରେ ସନ୍ଦୀପ କୁମାର ସାହୁଙ୍କ ଲକ୍ଷ୍ନୀନାରାୟଣ ଜୁଏଲର୍ସ ଦୋକାନ ରହିଛି। ସବୁଦିନ ଭଳି ଗୁରୁବାର ରାତିରେ ସନ୍ଦୀପ ଦୋକାନ ବନ୍ଦ କରି ୬ଲକ୍ଷ ଟଙ୍କାର ସୁନାଗହଣା ଧରି ବାଇକ୍‌ ଯୋଗେ ଘର ଅଭିମୁଖେ ଯାଉଥିଲେ। ହେଲେ ଡେଲ୍ଟା ଛକ ନିକଟରେ ପୂର୍ବରୁ ବାଇକ୍‌ରେ ପିଛା କରୁଥିବା ୩ଜଣ ଦୁର୍ବୃତ୍ତ ହଠାତ୍‌ ସନ୍ଦୀପଙ୍କ ସାମ୍ନାକୁ ଆସିଯିବାରୁ ସେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସନ୍ଦୀପଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ବାଇକ୍‌ ଡିକିରେ ଥିବା ସୁନାଗହଣାକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ସୂଚନାଥାଉ କି, ଡିସେମ୍ବର ୫ରେ ସନ୍ଦୀପଙ୍କ ଦୋକାନରୁ ଦୁର୍ବୃତ୍ତ ଶର୍ଟର କାଟି ନଗଦ ଦେଢ ଲକ୍ଷ ଟଙ୍କା ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଚୋରି ହୋଇଥିଲା। ଏପରିକି ବର୍ଷକ ମଧ୍ୟରେ ଉକ୍ତ ଦୋକାନୀଙ୍କଠାରୁ ୮ଥର ଲୁଟ୍‌ର ଶିକାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।