ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର, ୩୫ କେଜି ଗଞ୍ଜେଇ ଜବତ କରାଯାଇଛି । ୬୬୬/୨୬ ନମ୍ବର୍ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଇନ୍ଦ୍ରଗଡର ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ। ସେମାନଙ୍କ ଠାରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ କାର ଗାଡି ଜବତ କରାଯାଇଛି । ଅଭିଯୁକ୍ତଦ୍ୱୟ କନ୍ଧମାଳରୁ ଗଞ୍ଜେଇ କାର ଯୋଗେ ବ୍ରହ୍ମପୁର ନେଉଥିଲେ। ଏହି ସମୟରେ ଭଞ୍ଜନଗର ପୋଲିସ ଡହ ରୋଡରେ ସନ୍ଦେହରେ ଉକ୍ତ ଦୁଇ ଅଭିଯୁକ୍ତକୁ ଅଟକ ରଖିଥିଲେ। କିନ୍ତୁ ଅଭିଯୁକ୍ତଦ୍ୱୟ ସେଠାରୁ ଫେରାର ହେବାପାଇଁ ଉଦ୍ୟମ କରିଥିଲେ। ପୋଲିସ ଗୋଡ଼ାଇ ସେମାନଙ୍କୁ କାବୁ କରିଥିଲେ। ସେହିଭଳି ଅନ୍ୟ ୪ ଅଭିଯୁକ୍ତ ଗତକାଲି ଭଞ୍ଜନଗର ଚକରା ବିଷୋୟୀ ଛକରେ ପୋଲିସ ଗାଡି ଦେଖି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ। ପୋଲିସ ସେମାନଙ୍କୁ ପିଛା କରି କାବୁ କରିବା ସମୟରେ ଅଭିଯୁକ୍ତ ମାନେ ପୋଲିସ କୁ ପାଲଟା ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହାପରେ ପୋଲିସ କୌଶଳ କ୍ରମେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନଙ୍କ ନାମରେ ଜିଲାର ଅନେକ ଥାନାରେ ହତ୍ୟା ଭଳି ବହୁ ଅପରାଧିକ ମାମଲା ଅଛି। ଏଥିସହ ଗଞ୍ଜେଇ ଚାଲାଣ ରେ ଅଭିଯୁକ୍ତ ମାନେ ମଧ୍ୟ ଜଡିତ ଅଛନ୍ତି। ସେମାନେ ଗଞ୍ଜେଇ ବ୍ୟବସାୟୀଙ୍କୁ ଏସ୍କର୍ଟ ଦେଇ ନେଉଥିଲେ। ୬୭୦/୨୬ ମାମଲାରେ ଗିରଫ ୪ ଜଣ ହେଲେ ଭୋଳା ନାହାକ, ଭାଗିରଥି ଗୌଡ, ବେଲାରସେନ୍ ସ୍ୱାଇଁ ଓ ବଂଶୀଧର ବିଷୋୟୀ। ଏନେଇ ଶନିବାର ଭଞ୍ଜନଗର ଥାନାରେ ଅନୁଷ୍ଟିତ ଏକ ଖବରଦାତା ସମ୍ମିଳନୀରେ ଏସ ଡି ପି ଓ ଡ ଦୀପକ ମିଶ୍ର ତାହା ପ୍ରକାଶ କରିଛନ୍ତି। ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ଲକ୍ଷ୍ମୀଧର ମହାନ୍ତି, ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।