ଗଞ୍ଜାମରେ ୭୩ ଗାଁ ବନ୍ୟା ପ୍ରଭାବିତ:୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର

ଛତ୍ରପୁର, ୩୧ା୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲରେ ବନ୍ୟା ସ୍ଥିତିକୁ ନେଇ ଜିଲାପାଳ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାରେ ବନ୍ୟାଜଳ ଧୀରେ ଧୀରେ କମୁଥିବା ବେଳେ ଏବେ ବି କିଛି ଗାଁ ଜଳବନ୍ଦୀ ହୋଇ ରହିଛି। ଜିଲାର ମୋଟ ୭୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୫୬ ହଜାର ୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାଜଳ ଘେରରେ ଥିବା ଗାଁ ସଂଖ୍ୟା ଗତକାଲି ୨୧ ଥିବା ବେଳେ ଆଜି ଏହା ୩କୁ ହ୍ରାସ ପାଇଥିବା ଜିଲାପାଳ କହିଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଜିଲାର ୩୬୭ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଯେପରି ଖାଦ୍ୟ ସାମଗ୍ରୀର ଅଭାବ ନ ହୁଏ, ସେଥିପାଇଁ ସମସ୍ତ ସ୍ଥାନରେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଯୋଜନା କରାଯାଇଛି।

ଆସିକା ଓ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ମଧ୍ୟ ବନ୍ୟାଜଳ ଘେରରେ ରହିଥିଲା। ବର୍ତ୍ତମାନ ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ କେତେକ ସ୍ଥାନରେ ଏବେ ବି ବିପଦସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଆଗକୁ ପୁଣି ବାତ୍ୟା ଓ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି କାମ ଆରମ୍ଭ ହୋଇଛି। ପ୍ରଥମେ ମୁଖ୍ୟ ରାସ୍ତାଗୁଡ଼ିକର ମରାମତିକୁ ଗୁରୁତ୍ୱ ଦିଆଯାଉଛି। ହିଞ୍ଜିଳିରୁ ଭଞ୍ଜନଗରକୁ ସଂଯୋଗ କରୁଥିବା ରାସ୍ତାର ମରାମତି କାମ ମଧ୍ୟ ଚାଲିଛି। ଏହାପରେ ଅନ୍ୟ ରାସ୍ତାଗୁଡ଼ିକର ମରାମତି କରାଯିବ।

ବିଦ୍ୟୁତ୍‌ ସେବା ସ୍ୱାଭାବିକ କରିବାକୁ ଟାଟା ପାୱାର ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମସ୍ତ ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇନାହିଁ। ଶନିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା କରାଯିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ବନ୍ୟାରେ କ୍ଷତିଗ୍ରସ୍ତ ଆନିକଟ ଓ ହିଡ଼ଗୁଡ଼ିକର ମରାମତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଗିଡ଼ିପାବାଲି ଅଞ୍ଚଳରେ ୧୨ ଜଣ ନିଖୋଜ ଥିବା ନେଇ ସୂଚନା ମିଳିଥିଲା। ଗଞ୍ଜାମ ଓ କନ୍ଧମାଳ ପଟୁ ଖୋଜାଖୋଜି ଜାରି ରହିଛି।

ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ଆଗାମୀ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।

Dharitri – Odisha’s No.1 Odia Daily

Share